Categories: ଜାତୀୟ

ପତ୍ନୀଙ୍କ ଡରରେ ଆସନ ବଦଳାଇଲେ ତେଜ ପ୍ରତାପ!

ପାଟନା,୮।୯: ପାଖେଇ ଆସୁଛି ବିହାର ବିଧାନଭସା ନିର୍ବାଚନ। ଏହି କ୍ରମରେ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ନିର୍ବାଚନରେ ଭାଗ ନେବେ ସତ। ହେଲେ ହାର-ଜିତର ଭୟ ଏବେ ତାଙ୍କୁ ଘାରିଲାଣି ବୋଲି କୁହାଯାଉଛି। ନିଜ ପତ୍ନୀଙ୍କୁ ଭୟକରି ତେଜ ପ୍ରତାପ ଏବେ ତାଙ୍କ ପୁରୁଣା ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ହେବେ ନାହିଁ ବୋଲି କୁହାଯାଉଛି। ଶୁଣିବାକୁ ମିଳିଛି କି ତେଜପ୍ରତାପ ବୈଶାଳୀର ମହୁଆ ଆସନ ବଦଳରେ ସମସ୍ତିପୁରର ହସନପୁରରୁ ନିର୍ବାଚନ ଲଢିବେ। ଏହାକୁ ନେଇ ସେ ହସନପୁରରରେ ପ୍ରଥମ ଜନ ସମ୍ପର୍କ ରାଲି ମଧ୍ୟ କରି ସାରିଥିବା କୁହାଯାଉଛି। ତେଜ ପ୍ରତାପଙ୍କ ଏଭଳି ନିଷ୍ପତ୍ତିକୁ ଦେଖି ଭାରତୀୟ ଜନତା ପାର୍ଟି(ଭାଜପା) କଟାକ୍ଷ କରି କହିଛି ତେଜ ପ୍ରତାପ ଯେଉଁ ଆସନରୁ ନିର୍ବାଚନ ଲଢିଲେ ବି ହାରିବା ସୁନିଶ୍ଚିତ। ଆଲୋଚନା ହେଉଛି କି ଜେତ ପ୍ରତାପଙ୍କ ପତ୍ନୀ ଐଶ୍ୱର୍ଯ୍ୟା ରାୟ ମହୁଆ ଆସନରୁ ତାଙ୍କ ବିରୋଧରେ ପ୍ରାର୍ଥୀ ହେବା ଜାଣିବା ପରେ ସେ ନିର୍ବାଚନ ମଣ୍ଡଳୀ ପରିବର୍ତ୍ତନ କରିଛନ୍ତି। ତେବେ ହସନପୁର ଯାଦବ ବହୁଳ ଆସନ ହୋଇଥିବାରୁ ତେଜ ପ୍ରତାପ ସେଠାରେ ନିଜକୁ ସୁରକ୍ଷିତ ମଣିଛନ୍ତି। ଏପଟେ ଐଶ୍ୱର୍ଯ୍ୟାଙ୍କ ପିତା ତଥା ତେଜ ପ୍ରତାପଙ୍କ ଶ୍ୱଶୁର ଚନ୍ଦ୍ରିକା ରାୟ କହିଛନ୍ତି ତାଙ୍କ ଝିଅ ହସନପୁର ଆସନରୁ ନିର୍ବାଚନ ଲଢିପାରେ। ସୂଚନାଯୋଗ୍ୟ, କିଛିଦିନ ହେବ ତେଜପ୍ରତାପ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟାଙ୍କଠାରୁ ଅଲଗା ହେବାକୁ ନେଇ ଉଭୟ ପରିବାର ମଧ୍ୟରେ ବିବାଦ ଲାଗି ରହିଛି।

Share