Categories: ଜାତୀୟ

ଆରଜେଡିରୁ ଇସ୍ତଫା ଦେଇପାରନ୍ତି ତେଜ ପ୍ରତାପ

ପାଟନା,୨୫।୪: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପରିବାରରେ ପୁଣିଥରେ ବିବାଦ ଦେଖିବାକୁ ମିଳିଛି। ଲାଲୁଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବ ନିଜ ବିବାଦୀୟ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ବେଳେ ଏବେ ପୁଣି ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଆରଜେଡିରୁ ତେଜ ପ୍ରତାପ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି। ପିତା ଲାଲୁ ପ୍ରସାଦ ଯାଦବଙ୍କୁ ଭେଟିବା ପରେ ସେ ଦଳରୁ ଇସ୍ତଫା ଦେବେ ବୋଲି କହିଛନ୍ତି। ସୋମବାର ଟୁଇଟ କରି ତେଜ ପ୍ରତାପ ଏନେଇ ଘୋଷଣା କରିଛନ୍ତି। ଏଥିସହ ସେ ଟୁଇଟରରେ ଲେଖିଛନ୍ତି, ବାପାଙ୍କ ପଦାନୁୁସରଣ କରି କାମ କରିଥିଲି, ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ସମ୍ମାନ ମଧ୍ୟ ଜଣାଇଛି। ବାପାଙ୍କୁ ଭେଟିବା ପରେ ଖୁବ୍‌ଶୀଘ୍ର ଇସ୍ତଫା ଦେବି ବୋଲି ସେ କହିଛନ୍ତି। ତେଜ ପ୍ରତାପ ଯାଦବ ହାସନପୁର ବିଧାନସଭା ଆସନରୁ ବିଧାୟକ ରହିଛନ୍ତି। ଏକ ବନ୍ଦ କୋଠରୀରେ ଦଳୀୟକର୍ମୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହେବା ପରେ ତେଜ ପ୍ରତାପ ଯାଦବ ଇସ୍ତଫା ଦେବାକୁ ଘୋଷଣା କରିଥିବା ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ, ଏପ୍ରିଲ ୨୨ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀଙ୍କ ୧୦ସର୍କୁଲାର ରୋଡ ବାସଭବନରେ ଇଫତାର ପାର୍ଟିର ଆୟୋଜନ ହୋଇଥିଲା। ସେହି ଦିନ ଯୁବ ଆରଜେଡିର ପାଟନା ମହାନଗର ନିଗମ ସଭାପତି ରାମରାଜ ଯାଦବଙ୍କୁ ତେଜ ପ୍ରତାପ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

Share