Categories: ଜାତୀୟ

ୟେମେନ-ଓମାନ ମୁହାଁ ସାମୁଦ୍ରିକ ଝଡ଼ ‘ତେଜ’ , ଅକ୍ଟୋବର ୨୫ରେ ଲ୍ୟାଣ୍ଡଫଲ ପୂର୍ବାନୁମାନ, ଭିଡ଼ିଓରେ ଭୟଙ୍କର ରୂପ..

ନୂଆଦିଲ୍ଲୀ,୨୧।୧୦ : ଭାରତ ପାଣିପାଗ ବିଭାଗ (ଆଇଏମଡି) ଶନିବାର କହିଛି ଦକ୍ଷିଣ ପଶ୍ଚିମ ଆରବ ସାଗରରେ ଘୂର୍ଣ୍ଣିବଳୟ ‘ତେଜ’ ତୀବ୍ର ହୋଇଛି ଏବଂ ବର୍ତ୍ତମାନ ୟେମେନର ସୋକୋଟ୍ରା ଉପରେ କେନ୍ଦ୍ରିତ ହୋଇଛି।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଏକ ଭୟଙ୍କର ଘୂର୍ଣ୍ଣିବଳୟ ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି।

ଆଇଏମଡି ପୂର୍ବରୁ ଟୁଇଟରରେ ଏକ ପୋଷ୍ଟରେ କହିଥିଲା, ଦକ୍ଷିଣ ପଶ୍ଚିମ ଆରବ ସାଗରରେ ଭୟଙ୍କର ସାଇକ୍ଲୋନିକ ଝଡ ‘ତେଜ’ ତୀବ୍ର ହୋଇଛି! ରବିବାର ସକାଳ ପର୍ଯ୍ୟନ୍ତ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଏବଂ ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି।

୨୨ ତାରିଖ ସକାଳ ପର୍ଯ୍ୟନ୍ତ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ, ତା’ପରେ ଉତ୍ତର-ପଶ୍ଚିମ ଦିଗକୁ ଏହା ଗତି କରି ୨୪ ତାରିଖ ସକାଳ ପର୍ଯ୍ୟନ୍ତ ଏଭଳି ଜାରି ରଖିବ। ଶେଷରେ ଏହା ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ଅଛି ।

ୟେମେନ ଏବଂ ଓମାନ ଉପକୂଳ ମଧ୍ୟରେ ତେଜ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି।

ଅକ୍ଟୋବର ୨୫ ତାରିଖ ସକାଳେ ୟେମେନର ଅଲ ଘାଇଦା ଏବଂ ଓମାନର ସାଲାଲା ମଧ୍ୟରେ ଏହା ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି।

ଶନିବାର ସକାଳେ ଆଇଏମଡି କହିଛି ଦକ୍ଷିଣ-ପଶ୍ଚିମ ଆରବ ସାଗରରେ ସମୁଦ୍ର ଅବସ୍ଥା ଅଶାନ୍ତ ରହିଛି । ଅକ୍ଟୋବର ୨୧ ରୁ ୨୩ ପର୍ଯ୍ୟନ୍ତ ଏହା ଅଧିକ ଅଶାନ୍ତ ହେବାର ସମ୍ଭାବନା ରହିଛି। ପଶ୍ଚିମ ଆରବ ସାଗରରେ ସମୁଦ୍ରର ଅବସ୍ଥା ଅତି ଭୟଙ୍କର ହୋଇପାରେ। ଅକ୍ଟୋବର ୨୨ ରୁ ୨୫ପର୍ଯ୍ୟନ୍ତ ଏହା ଜାରି ରହିବ। ଅକ୍ଟୋବର ୨୪ ରୁ ୨୬ ପର୍ଯ୍ୟନ୍ତ ଓଡିଶା, ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳରେ ସମୁଦ୍ରର ଅବସ୍ଥା ଅତି ଭୟଙ୍କର ହେବ ବୋଲି ପୂର୍ବାନୁମାନ କରାଯାଉଛି।

ଅକ୍ଟୋବର ୨୬ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ତଥା ଉପକୂଳରେ ପ୍ରବେଶ ନ କରିବା ପାଇଁ ଆଇଏମଡି ଏକ ପରାମର୍ଶ ଜାରି କରିଛି।

Share