Categories: ଖେଳ

ତେଜାସ ବିଶ୍ୱର ସର୍ବକନିଷ୍ଠ ଫିଡେ ରେଟେଡ୍‌ ଖେଳାଳି

ଭୁବନେଶ୍ୱର, ୨୭।୭: ଉତ୍ତରାଖଣ୍ଡର ତେଜାସ ତିଓ୍ବାରୀ ବିଶ୍ୱର ସର୍ବକନିଷ୍ଠ ଫିଡେ ରେଟେଡ ଚେସ୍‌ ଖେଳାଳି ହୋଇଛନ୍ତି। ଅନ୍ତର୍ଜାତୀୟ ଚେସ୍‌ ଫେଡେରେଶନ(ଫିଡେ) ପକ୍ଷରୁ ଟୁଇଟ କରି ଏହା ସ୍ପଷ୍ଟ କରାଯାଇଛି। ୫ ବର୍ଷୀୟ ତେଜାସଙ୍କର ବର୍ତ୍ତମାନ ଫିଡେ ଷ୍ଟାଣ୍ଡାର୍ଡ ରେଟିଂ ହେଉଛି ୧୧୪୯। ସେ ୩ ବର୍ଷ ୬ ମାସର ହୋଇଥିବାବେଳେ ପରିବାରବର୍ଗଙ୍କ ଚେସ୍‌ ଖେଳ ଦେଖି ଏହି କ୍ରୀଡ଼ା ପ୍ରତି ଆଗ୍ରହ ଦେଖାଇଥିଲେ। ଏଥିସହିତ ଚେସ୍‌ କିପରି ଖେଳାଯାଏ ତାହାକୁ ଖୁବ୍‌ଶୀଘ୍ର ଶିଖି ଯାଇଥିଲେ। ୪ ବର୍ଷର ହୋଇଥିବାବେଳେ ସେ ରାଜ୍ୟ ଏବଂ ରାଜ୍ୟ ବାହାରେ ଜାତୀୟ ସ୍ତରର ଚେସ୍‌ ଟୁର୍ନାମେଣ୍ଟ ଖେଳିଥିଲେ। ୪ ବର୍ଷ ୩ ମାସର ହୋଇଥିବାବେଳେ ସେ ଫିଡେ ରେଟେଡ ର଼୍ୟାପିଡ୍‌ ଚେସ୍‌ ଟୁର୍ନାମେଣ୍ଟ ଖେଳିଥିଲେ।

ସେବେଠାରୁ ସେ ଭାରତର ୧୩ ରାଜ୍ୟରେ ବିଭିନ୍ନ ଫିଡେ ରେଟେଡ ଚେସ୍‌ ଟୁର୍ନାମେଣ୍ଟ ଖେଳି ସାରିଲେଣି। ୨୦୨୨ରେ ତେଜାସ ରାଜ୍ୟ ଟୁର୍ନାମେଣ୍ଟର ୮ ବର୍ଷରୁ କମ୍‌ ବର୍ଗରେ ପ୍ରଥମସ୍ଥାନ ଅଧିକାର କରିଥିଲେ। ସେହିବର୍ଷ ଭୁବନେଶ୍ୱରରେ ଆୟୋଜିତ ଜାତୀୟ ସ୍କୁଲ ଚେସ୍‌ ଚାମ୍ପିୟନଶିପ୍‌ର ୫ ବର୍ଷରୁ କମ୍‌ ବର୍ଗରେ ପ୍ରଥମ ହୋଇଥିଲେ।

Share