Categories: ଜାତୀୟ

ମଙ୍ଗଳବାର ସିବିଆଇ କୋର୍ଟରେ ହାଜର ହେବେ ଉପମୁଖ୍ୟମନ୍ତ୍ରୀ

ପାଟନା,୧୭।୧୦: ରେଲଓ୍ବେ ନିଯୁକ୍ତି ଦୁର୍ନୀତି ମାମଲାରେ ବିହାର ଉପମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ନେତା ତେଜସ୍ବୀ ଯାଦବ ମଙ୍ଗଳବାର ଦିଲ୍ଲୀର ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର ହେବେ। ଉକ୍ତ ମାମଲାରେ ତେଜସ୍ବୀ ଏବେ ଜାମିନରେ ଅଛନ୍ତି। ତାଙ୍କ ଜାମିନ ଖାରଜ ଲାଗି କୋର୍ଟରେ ସିବିଆଇ ଆବେଦନ କରିବା ପରେ ସେପ୍ଟେମ୍ବର ୧୯ରେ ତେଜସ୍ବୀଙ୍କୁ ନୋଟିସ ଜାରି ହୋଇଥିଲା। ଯଦି ସେ ସର୍ତ୍ତାବଳୀ ଖିଲାପ କରିଥିବା ଜଣାପଡ଼େ ତେବେ ଅଦାଲତ ତାଙ୍କ ଜାମିନ ଖାରଜ କରିପାରନ୍ତି। ତଦନ୍ତକୁ ପ୍ରଭାବିତ କରିବା ଲାଗି ବିହାର ଉପମୁଖ୍ୟମନ୍ତ୍ରୀ ଓ ତାଙ୍କ ପରିବାର ସିବିଆଇ ଅଫିସରମାନଙ୍କୁ ଧମକ ଦେଉଥିବା ଅଭିଯୋଗ ହୋଇଛି। ସେ ଏକ ଖବରଦାତା ସମ୍ମିଳନୀ କରି ତଦନ୍ତ ଅଟକାଇବାକୁ ଉଦ୍ୟମ କରିଥିଲେ ଓ ଦେଶର ସମ୍ବିଧାନକୁ ଚ୍ୟାଲେଞ୍ଜ କରିଥିଲେ ବୋଲି ଅଭିଯୋଗରେ କୁହାଯାଇଛି। ଆଇଆର୍‌ସିଟିସି ଦୁର୍ନୀତି ମାମଲାରେ ତେଜସ୍ବୀଙ୍କ ସମେତ ଆର୍‌ଜେଡି ଅଧ୍ୟକ୍ଷ ଲାଲୁ ଯାଦବ, ମିସା ଭାରତୀ, ହେମା ଯାଦବ, ରାବ୍ରୀ ଦେବୀ ଓ ଅନ୍ୟମାନଙ୍କ ବିରୋଧରେ ମାମଲା ଚାଲିଛି।

Share