ନୂଆଦିଲ୍ଲୀ,୧୧।୩: ଜମି ବଦଳରେ ଚାକିରି ଦେବା ଦୁର୍ନୀତି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ପରିବାରର ଅଡୁଆ ବେଳକୁ ବେଳ ବଢ଼ିବାରେ ଲାଗିଛି। ଇତିମଧ୍ୟରେ କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ (ସିବିଆଇ) ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ମଧ୍ୟ ଏହି ମାମଲାରେ ପଚରାଉଚରା କରିବା ପାଇଁ ଶନିବାର ସମନ ଜାରି କରିଥିଲା। କିନ୍ତୁ ଆଜି ବି ସେ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇପାରିବେ ନାହିଁ। ସୂଚନା ମୁତାବକ, ତେଜସ୍ବୀ ଯାଦବଙ୍କ ସ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ୍ ଥିବାରୁ ସେ ସିବିଆଇ ସମ୍ମୁଖରେ ହାଜର ହୋଇପାରିବେ ନାହିଁ ବୋଲି ଜଣାପଡ଼ିଛି। ଇଡିର ଚଢ଼ାଉ ପରେ ତାଙ୍କ ଗର୍ଭବତୀ ସ୍ତ୍ରୀଙ୍କୁ ଶୁକ୍ରବାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦୀର୍ଘ ୧୨ଘଣ୍ଟା ଧରି ପଚରାଉଚରା କରିବାରୁ ତାଙ୍କର ରକ୍ତଚାପ ସମସ୍ୟା ଦେଖାଦେଇଥିଲା। ଏହପରେ ସେ ଅଚେତ୍ ହୋଇପଡ଼ିଥିଲେ। ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସେଠାରେ ତାଙ୍କର ଚିକିତ୍ସା ଚାଲିଛି।