Categories: ଜାତୀୟ

ମୋଦିଙ୍କ ବିରୋଧରେ କିଛି ବି ଓଲଟା ସିଧା କୁହନ୍ତୁ ନାହିଁ: ତେଜସ୍ୱୀ

ପାଟନା,୧୦ ।୧୧: ବିହାର ବିଧାନସଭା ନିର୍ବାଚନର ଫଳାଫଳ ଆସିବା ଆରମ୍ଭ ହୋଇଯାଇଛି । ଏକ୍‌ଜିଟ୍ ପୋଲ୍ ଅନୁଯାୟୀ ଏଥର ମହାମେଣ୍ଟର ନେତା ତଥା ଆର୍‌ଜେଡି ନେତା ତେଜସ୍ୱୀ ଯାଦବଙ୍କୁ ଲୋକେ ମୁଖ୍ୟମନ୍ତ୍ରୀ ଆସନରେ ଦେଖିବାକୁ ଚାହୁଁଛନ୍ତି । ସେପଟେ ଏନ୍‌ଡିଏ ଦାବି କରୁଛି ଯେ ବହୁମତ ବ୍ୟବଧାନରେ ସେ ଗଢିବ ସରକାର । ଏହା ଅବଶ୍ୟ କିଛି ସମୟ ପରେ ସ୍ପଷ୍ଟ ହୋଇଯିବ । ହେଲେ ଫଳାଫଳ ଆସିବାର କିଛି ସମୟ ପୂର୍ବରୁ ତେଜସ୍ୱୀ ତାଙ୍କ ଦଳୀୟ ନେତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ କୌଣସି ଓଲଟା ସିଧା କଥା ନ କହିବାକୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଦେଖାଯାଇଛି କି କେତେଜଣ ନେତା କ୍ୟାମେରା ସାମ୍ନାରେ ମୋଦିଙ୍କ ବିରୋଧରେ ଏଣୁତେଣୁ କଥା କହୁଛନ୍ତି ଯାହା ଆଦୌ ଠିକ୍ ନୁହେଁ । ଯଦି ଏମିତି କିଛି ଘଟଣା ନଜର ଆସିଲା ତେବେ ଉକ୍ତ ନେତାଙ୍କ ବିରୋଧରେ କଡା କର୍ଯ୍ୟାନୁଷ୍ଠାନ ନିଆଯାଇପାରେ । ସୂଚନାଯୋଗ୍ୟ, ମଙ୍ଗଳବାର ଭୋଟ ଗଣତି ପୂର୍ବରୁ ଆର୍‌ଜେଡିର ଅଧିକାଂଶ ନେତା ତେଜସ୍ୱୀଙ୍କ ଘରକୁ ଆସିଥିବା ବେଳେ ତେଜସ୍ୱୀ ସେମାନଙ୍କୁ ଏହି ସୂଚନା ଦେଇଛନ୍ତି । ମତଦାନ ପୂର୍ବରୁ ନିର୍ବାଚନ ରାଲିରେ ତେଜସ୍ୱୀ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରେ ଯେମିତି ଭାବେ ବର୍ଷୁ ଥିଲେ ଏକ୍‌ଜିଟ୍ ପୋଲ୍‌ରେ ଆର୍‌ଜେଡି ଭଲ ପ୍ରଦର୍ଶନ କରିବା ଜଣାପଡିବା ପରେ ତେଜସ୍ୱୀ ଜଣେ ପରିପକ୍ୱ ନେତା ଭାବେ କଥା କହୁଥିବା ଦେଖାଯାଇଛି । ତେଣୁ ସେ କହିଛନ୍ତି ଫଳାଫଳ ଯାହା ବି ହେଉନା କାହିଁକି ମୋଦିଙ୍କ ବିରୋଧରେ କେହି ଅପଶବ୍ଦ ବ୍ୟବହାର କରିପାରିବେ ନାହିଁ ।

Share