Categories: ଜାତୀୟ

ନୀତିଶଙ୍କ ଉପରକୁ ପିଆଜ ମାଡ ଘଟଣାକୁ ନିନ୍ଦା କଲେ ତେଜସ୍ବୀ

ପାଟନା,୪।୧୧: ବିହାର ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଛି। ଏବେ ତୃତୀୟ ପର୍ଯ୍ୟାୟ ଭୋଟ ପାଇଁ ପ୍ରଚାର ଚାଲିଛି। ମଙ୍ଗଳବାର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧୁବନୀର ହରଲାଖୀ ବିଧାନସଭା ନିିର୍ବାଚନମଣ୍ଡଳୀରେ ପହଞ୍ଚିଥିଲେ। ସେଠାରେ ସେ ବିରୋଧର ସମ୍ମୁଖୀନ ହୋଇଥିଲେ। ନୀତିଶ ରାଲିକୁ ସମ୍ବୋଧିତ କରୁଥିବାବେଳେ ତାଙ୍କ ଉପରକୁ ପିଆଜ ଓ ପଥର ଖଣ୍ଡ ଫିଙ୍ଗି ଯାଇଥିଲା। ନୀତିଶଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଆରଜେଡି ନେତା ତେଜସ୍ବୀ ଯାଦବ ଏହି ଘଟଣାରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ତେଜସ୍ବୀ ଯାଦବ ଟୁଇଟରରେ ଏହି ବିଷୟରେ ମନ୍ତବ୍ୟ ଦେଇଛନ୍ତି। ତେଜସ୍ବୀ ଟୁଇଟରେ ଲେଖିଛନ୍ତି, ଆଜି ନିର୍ବାଚନ ସଭାରେ କେହି ଜଣେ ସମ୍ମାନିତ ମୁଖ୍ୟମନ୍ତ୍ରୀ ଶ୍ରୀ ନୀତୀଶ କୁମାରଙ୍କ ଉପରେ ପିଆଜ ଫିଙ୍ଗିଥିଲେ। ଏହା ସମ୍ପୂର୍ଣ୍ଣ ନିନ୍ଦନୀୟ, ଅଗଣତାନ୍ତ୍ରିକ ଏବଂ ଅବାଞ୍ଛିତ ଆଚରଣ। ଗଣତନ୍ତ୍ରରେ ପ୍ରତିରୋଧର ଅଭିବ୍ୟକ୍ତି କେବଳ ଭୋଟ ଦେବାରେ ରହିବା ଉଚିତ୍‌। ଏହା ବ୍ୟତୀତ କୌଣସି ପଦ୍ଧତି ଗ୍ରହଣୀୟ ସ୍ବୀକାର କରାଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି।

Share