Categories: ଜାତୀୟ

‘ଲାଉଡ୍‌ସ୍ପିକର ପୂର୍ବରୁ ଭଗବାନ ନ ଥିଲେ କି’

ପାଟନା,୧।୫: ଦେଶରେ ଲାଉଡସ୍ପିକରକୁ ନେଇ ବିବାଦ ଲାଗିରହିଛି। ବର୍ତ୍ତମାନ ଏନେଇ ରାଷ୍ଟ୍ରିୟ ଜନତା ଦଳ(ଆରଜେଡି) ନେତା ତେଜସ୍ବୀ ଯାଦବଙ୍କ ଏକ ବୟାନ ସାମ୍ନାକୁ ଆସିଛି। ସେ ପଚାରିଛନ୍ତି ଯେ, ଯେତେବେଳେ ଲାଉଡସ୍ପିକର ନ ଥିଲା, ସେତେବେଳେ ଭଗବାନ ଓ ଆଲ୍ଲା ନ ଥିଲେ କି। ରବିବାର ଟୁଇଟ କରି ତେଜସ୍ବୀ ଲାଉଡସ୍ପିକରକୁ ନେଇ ଯେଉଁମାନେ ପ୍ରସଙ୍ଗ କରୁଛନ୍ତି ସେମାନଙ୍କୁ ପ୍ରଶ୍ନ କରିଛନ୍ତି। ୧୯୨୫ରେ ଲାଉଡ୍‌ସ୍ପିକର ଆବିଷ୍କୃତ ହୋଇଥିଲା ଏବଂ ଭାରତର ମନ୍ଦିର ଓ ମସ୍‌ଜିଦରେ ଏହାର ବ୍ୟବହାର ପ୍ରାୟ ୭୦ଦଶକରୁ ଆରମ୍ଭ ହୋଇଥିଲା। ତେବେ ଯେତେବେଳେ କୌଣସି ଲାଉଡ୍‌ସ୍ପିକର ନ ଥିଲା ସେତେବେଳେ ସେଠାରେ ଭଗବାନ ଓ ଆଲ୍ଲା ନ ଥିଲେ କି ବୋଲି ତେଜସ୍ବୀ ପ୍ରଶ୍ନ କରିଛନ୍ତି। ଲାଉଡ୍‌ସ୍ପିକର ବିନା ପ୍ରାର୍ଥନା, ଜାଗରଣ, ଭଜନ, ଭକ୍ତି କିମ୍ବା ସାଧନା ହୋଇପାରୁ ନ ଥିଲା କି। ଅନ୍ୟପଟେ ଆଉ ଏକ ଟୁଇଟରେ ସେ କହିଛନ୍ତି ଯେ, ଲାଉଡ୍‌ସ୍ପିକର ଦ୍ୱାରା କୌଣସି ଧର୍ମ କିମ୍ବା ଭଗବାନ ଆକର୍ଷିତ ହୁଆନ୍ତି ନାହିଁ। ପ୍ରକୃତରେ ଯେଉଁମାନେ ଧର୍ମ ଏବଂ କାର୍ଯ୍ୟର ମହତ୍ତ୍ୱ ବୁଝନ୍ତି ନାହିଁ, ସେମାନେ ଅନାବଶ୍ୟକ ପ୍ରସଙ୍ଗରେ ଧାର୍ମିକ ରଙ୍ଗ ଦେଇଥାନ୍ତି। ଜଣେ ଆତ୍ମ ସଚେତନ ବ୍ୟକ୍ତି କଦାପି ଏଭଳି ପ୍ରସଙ୍ଗକୁ ଗୁରୁତ୍ୱ ଦେବେ ନାହିଁ। ଭଗବାନ ସର୍ବଦା ଆମ ସହିତ ଅଛନ୍ତି। ଭଗବାନ ପ୍ରତ୍ୟେକ କୋଣ ଅନୁକୋଣରେ ବ୍ୟାପିଛନ୍ତି ବୋଲି ତେଜସ୍ବୀ କହିଛନ୍ତି। ଏଥିସହ ସେ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ଆଉ ଏକ ଟୁଇଟରରେ ସେ କହିଛନ୍ତି ଯେ, ଲାଉଡ୍‌ସ୍ପିକର ଏବଂ ବୁଲଡୋଜର ଉପରେ ଆଲୋଚନା ହେଉଛି, କିନ୍ତୁ ମୁଦ୍ରାସ୍ଫୀତି, ବେକାରୀ ସମସ୍ୟା, କୃଷକ ଏବଂ ଶ୍ରମିକଙ୍କ ଉପରେ କୌଣସି ଆଲୋଚନା ହେଉନାହିଁ। ଜନସାଧାରଣଙ୍କ ସ୍ବାର୍ଥର ପ୍ରକୃତ ପ୍ରସଙ୍ଗ ବ୍ୟତୀତ ଲୋକମାନେ ବିଭ୍ରାନ୍ତ ହେଉଛନ୍ତି।

Share