କରନ୍‌-ତେଜସ୍ବୀଙ୍କ ବ୍ରେକ୍‌ଅପ୍‌ ନେଇ ଚର୍ଚ୍ଚା ! ଅଭିନେତ୍ରୀ କହିଲେ…

ବମ୍ବେ: ଟେଲିଭିଜନର ଲୋକପ୍ରିୟ ସେଲିବ୍ରିଟି ଯୋଡ଼ି ମଧ୍ୟରୁ ଅଭିନେତା କରନ୍‌ କୁନ୍ଦ୍ରା ଏବଂ ତେଜସ୍ବୀ ପ୍ରକାଶ ଅନ୍ୟତମ। ବିଗ୍‌ବସ୍‌ ଘରୁ ଦୁହିଁଙ୍କ ସମ୍ପର୍କ ହୋଇଥିଲା ଆରମ୍ଭ। ଦୀର୍ଘ ଦୁଇ ବର୍ଷ ଧରି ଡେଟିଂ କରିବା ପରେ ସେମାନଙ୍କର ବ୍ରେକ୍‌ଅପ୍‌ ହୋଇଥିବା ନେଇ ନିକଟରେ ଚର୍ଚ୍ଚା ଜୋର ଧରିଥିଲା। ହେଲେ କଥା କେତେଦୂର ସତ ସେନେଇ ପ୍ରଶଂସକ ଦ୍ୱନ୍ଦ୍ୱରେ ପଡ଼ିଥିଲେ। ଏହି ଘଟଣାରେ ଏବେ ତେଜସ୍ବୀ ମୁହଁ ଖୋଲିଛନ୍ତି।

ଅଭିନେତ୍ରୀ ନିଜର ଏକ ସାକ୍ଷାତକାରରେ କହିଛନ୍ତି, ମୁଁ ପ୍ରେମରେ ପଡ଼ିଛି। ମୁଁ ସାମାନ୍ୟ ଅନ୍ଧବିଶ୍ୱାସୀ। ମୋତେ ଲାଗେ ଯଦି ମୁଁ ମୋ ଭଲପାଇବା ବିଷୟରେ ବେଶି କହିବି ତେବେ ଖୁସିରେ ନଜର ଲାଗିଯିବ। ବିବାହ କରିବା ମୋ ଜୀବନର ସବୁଠାରୁ ସୁନ୍ଦର ମୁହୂର୍ତ୍ତ ହେବ। ବାସ୍ତବରେ ତାହା ନ ହେବା ଯାଏ ସେ ବିଷୟରେ କଥା ହେବାକୁ ଚାହିଁବି ନାହିଁ ବୋଲି ସେ କହିଛନ୍ତି।

ତେଜସ୍ବୀଙ୍କ କଥାରୁ ଦୁହିଁଙ୍କ ମଧ୍ୟରେ ସବୁକିଛି ଠିକ୍‌ ଚାଲିଥିବା ସ୍ପଷ୍ଟ ହୋଇଛି। ଏବେ ସେମାନେ ଏକାଠି ଅଛନ୍ତି। ଯଦି ସବୁକିଛି ଠିକ୍‌ ଚାଲେ ତେବେ ବିବାହ ଖବର ପ୍ରଶଂସକ ଶୁଣି ପାରିବେ ବୋଲି କହିପାରିବା।

Share