Categories: ଜାତୀୟ

ଶତ୍ରୁକୁ କଡ଼ା ଜବାବ ଦେବ ତେଜସ୍‌: ଅତ୍ୟାଧୁନିକ କ୍ଷେପଣାସ୍ତ୍ର ‘ଅସ୍ତ୍ର’ରେ ହେବ ସଜ୍ଜିତ

ନୂଆଦିଲ୍ଲୀ,୨୩।୧୧: ଶତ୍ରୁକୁ କଡ଼ା ଜବାବ ଦେବା ପାଇଁ ଯୁଦ୍ଧ ବିମାନ ତେଜସ୍‌କୁ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ‘ଅସ୍ତ୍ର’ରେ ଖୁବ୍‌ ଶୀଘ୍ର ସଜ୍ଜିତ କରାଯିବ। ଧ୍ୱନିର ଗତିଠାରୁ ୪.୫ ଗୁଣା ଅଧିକ ବେଗରେ ଲକ୍ଷ୍ୟଭେଦ କରୁଥିବା ‘ଅସ୍ତ୍ର’ କ୍ଷେପଣାସ୍ତ୍ରକୁ ତେଜସ୍‌ରେ ରଖାଯିବାର ବ୍ୟବସ୍ଥା କରାଯାଇଛି। ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା ଏହି କ୍ଷେପଣାସ୍ତ୍ର ୧୦୦ କିଲୋମିଟର ମଧ୍ୟରେ ଲକ୍ଷ୍ୟଭେଦ କରିବାକୁ ସକ୍ଷମ ହେବ। ଏହାର ପରୀକ୍ଷା କିଛି ଦିନ ଭିତରେ କରାଯିବ ବୋଲି କୁହାଯାଉଛି। ଇତିମଧ୍ୟରେ ଏହାର ଗ୍ରାଉଣ୍ଡ୍‌ ପରୀକ୍ଷା ସଫଳତାର ସହିତ ଶେଷ ହୋଇଛି। ‘ଅସ୍ତ୍ର’ କ୍ଷେପଣାସ୍ତ୍ରର ଲମ୍ବ ୩.୮ ମିଟର ଥିବାବେଳେ ଚୌଡ଼ା ୭ ଇଞ୍ଚ ରହିଛି। ଏହାର ଓଜନ ୧୫୪ କିଲୋଗ୍ରାମ୍‌। ୨୦୨୧ର ପ୍ରଥମ ୬ମାସ ମଧ୍ୟରେ ଡିଆର୍‌ଡିଓ ପକ୍ଷରୁ ‘ଅସ୍ତ୍ର’ର ଦ୍ୱିତୀୟ ଭର୍ସନ ମାର୍କ-୨ର ପରୀକ୍ଷଣ କରାଯିବା ଳାଗି ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇ ସାରିଛି। ଏହାର ଲକ୍ଷ୍ୟଭେଦ କ୍ଷମତା ୧୬୦ କିଲୋମିଟର ରହିଛି। ସେହିପରି ମାର୍କ-୩ର ଲକ୍ଷ୍ୟଭେଦ କ୍ଷମତା ୩୫୦ କିଲୋମିଟର ରହିବ ବୋଲି ଡିଆର୍‌ଡିଓ ପକ୍ଷରୁ ସୂଚନା ଦିଆଯାଇଛି। ଭାରତର ଏଭଳି ପ୍ରତିରକ୍ଷା ଯୋଜନା ନେଇ ଚାଇନା ଏବଂ ପାକିସ୍ତାନର ଚିନ୍ତା ବଢ଼ିବାରେ ଲାଗିଛି।

Share