
ପାଟନା,୨୧।୩: ଶୁକ୍ରବାର ବିହାର ବିଧାନସଭାରେ, ବିରୋଧୀ ଦଳ ଜାତୀୟ ସଙ୍ଗୀତର ଅପମାନ ପ୍ରସଙ୍ଗରେ ସରକାରଙ୍କ ବିରୁଦ୍ଧରେ ତୀବ୍ର ପ୍ରତିବାଦ କରିଥିଲେ। ବିଧାନସଭା ପରିସର ଭିତରେ ଏବଂ ଗୃହ ଭିତରେ ପ୍ରତିବାଦ କରାଯାଇଥିଲା ଏବଂ ଏହି ସମୟରେ ବିରୋଧୀ ଦଳ ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ।
ବିରୋଧୀ ସଦସ୍ୟମାନେ ଦାବି କରିଥିଲେ ଯେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜାତୀୟ ସଙ୍ଗୀତର ଅପମାନ କରିଛନ୍ତି ଏବଂ ସେ ୧୪୦ କୋଟି ଲୋକଙ୍କ ନିକଟରେ କ୍ଷମା ମାଗିବା ଉଚିତ। ନେତାମାନେ ଭାଜପା ବିରୋଧରେ ମାମଲା ରୁଜୁ କରିବାକୁ ମଧ୍ୟ ଦାବି କରିଥିଲେ।
ସୂଚନାଯୋଗ୍ୟ, ଗୁରୁବାର ପାଟନାରେ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଜାତୀୟ ସଙ୍ଗୀତ ସମୟରେ ଲୋକଙ୍କୁ ଅଭିବାଦନ କରୁଥିବାର ଦେଖାଯାଇଥିଲା। ଏହି ପ୍ରସଙ୍ଗରେ ସମଗ୍ର ବିରୋଧୀ ଦଳ ଏକଜୁଟ ହୋଇଛନ୍ତି।
ଶୁକ୍ରବାର ବିହାର ବିଧାନସଭାରେ ସରକାରୀ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ, ସମଗ୍ର ବିରୋଧୀ ଦଳ ହାତରେ ଜାତୀୟ ପତାକା ଧରି ବିଧାନସଭା ପୋର୍ଟିକୋରେ ଜୋରଦାର ପ୍ରତିବାଦ କରିଥିଲେ। ବିରୋଧୀ ଦଳ ମୁଖ୍ୟମନ୍ତ୍ରୀଙ୍କୁ ଜାତୀୟ ସଙ୍ଗୀତର ଅପମାନ କରିଥିବା ଅଭିଯୋଗ କରିଥିଲେ।
ବିରୋଧୀ ସଦସ୍ୟଙ୍କ ଏହି ପ୍ରତିବାଦ ମଧ୍ୟରେ, ବିରୋଧୀ ଦଳ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ପ୍ରେସ ସହିତ କଥା ହୋଇ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଜାତୀୟ ସଙ୍ଗୀତର ଅପମାନ କରିଛନ୍ତି ଏବଂ ତାଙ୍କୁ ଦେଶର ୧୪୦ କୋଟି ଜନତାଙ୍କ ନିକଟରେ କ୍ଷମା ମାଗିବା ଉଚିତ।
ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ମାନସିକ ଅବସ୍ଥା ଭଲ ନାହିଁ, ଆମେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ପାଇଁ ଚିନ୍ତିତ, କିନ୍ତୁ ଜାତୀୟ ସଙ୍ଗୀତର ଅପମାନକୁ ବରଦାସ୍ତ କରାଯାଇପାରିବ ନାହିଁ।