ତେଜିଲା ଉପଜିଲାପାଳଙ୍କ ବଦଳି ଦାବି

ବାରିପଦା ଅଫିସ,୧୦।୧: ମୟୂରଭଞ୍ଜ ଜିଲା କପ୍ତିପଦା ଉପଜିଲାପାଳଙ୍କ ମନମୁଖି କାର୍ଯ୍ୟ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା ପ୍ରତିବାଦରେ ମଙ୍ଗଳବାର କପ୍ତିପଦା ଉପଖଣ୍ଡରେ କାର୍ଯ୍ୟରତ ସମସ୍ତ ବ୍ଳକ ପ୍ରତିନିଧି ଜିଲାପାଳ ବିନୀତ ଭରଦ୍ବାଜଙ୍କୁ ଭେଟିଛନ୍ତି। ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧି ଉପଜିଲାପାଳ ଭଗବାନ ବେହେରାଙ୍କ କାର୍ଯ୍ୟକଳାପ ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରାଇବା ସହ ବଦଳି ଦାବି କରିଥିଲେ। ଜିଲାପାଳ ଭରଦ୍ବାଜ ଘଟଣାର ତଦନ୍ତ କରି ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଏପରି କି ଗଣମାଧ୍ୟମ ପ୍ରତିନିଧିଙ୍କୁ ଅପମାନିତ କରି ହଇରାଣ କରୁଥିବା ଅଭିଯୋଗ ହୋଇଛି। ଖବର ପ୍ରସାରଣ କରିବା ଦ୍ବାରା ପରୋକ୍ଷରେ ଧମକପୂର୍ଣ ଚେତାବନୀ ଦିଆଯାଉଛି ବୋଲି ଜିଲା ସମ୍ବାଦିକ ସଂଘର ସଭାପତି ଅରୁଣ କୁମାର ହୋତା, ମନୋଜ କୁମାର ପଣ୍ଡା, ଆଲୋକ କୁମାର ସ୍ବାଇଁ, ବାସୁଦେବ ପାତ୍ର, ତପନ ମହାନ୍ତିଙ୍କ ସହ ଖବରଦାତା ସନ୍ତୋଷ ବାଛିନୀ, ହିମାଦ୍ରୀ ଶେଖର ପାଲ ଓ ଜଗବନ୍ଧୁ ପ୍ରଧାନ ପ୍ରକାଶ ପ୍ରମୁଖ ପ୍ରକାଶ କରିଛନ୍ତି ।

ସେହିପରି ସାଧାରଣତନ୍ତ୍ର ପାଳନ ପ୍ରସ୍ତୁତି ବୈଠକକୁ ପ୍ରତିନିଧିମାନଙ୍କୁ ଅଣଦେଖା କରି ଅପମାନିତ କରିବାରୁ ଖବରଦାତାଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ଉପଜିଲାପାଳଙ୍କୁ ଖୁବଶୀଘ୍ର ବଦଳି କରା ନ ଗଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଗଣମାଧ୍ୟମ ପ୍ରତିନିଧି ଚେତାବନୀ ଦେଇଛନ୍ତି। ଖବରଦାତାଙ୍କ ପ୍ରତି ଅପମାନକୁ ବରଦାସ୍ତ କରାଯିବ ନାହିଁ ବୋଲି ଅରୁଣ ମହାନ୍ତି, ସୁଶାନ୍ତ ମହାନ୍ତି, ତପନ ମହାନ୍ତି, ସାଲାଏ ମାରାଣ୍ଡି, ଶଶି ମିଶ୍ର ପ୍ରମୁଖ ମତ ପ୍ରକାଶ କରିଛନ୍ତି।