Categories: ଜାତୀୟ

ନିର୍ବାଚନ ପୂର୍ବରୁ ଭାଜପାକୁ ବଡ଼ ଝଟ୍‌କା

ହାଇଦ୍ରାବଦ୍‌,୨।୧୧: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାକୁ ବଡ଼ ଝଟ୍‌କା ଲାଗିଛି। ପାର୍ଟି ମାନିଫେଷ୍ଟୋ କମିଟିର ସଭାପତି ତଥା ପୂର୍ବତନ ଏମ୍‌ପି ଗାଡାମ ବିବେକ ଭେଙ୍କଟସ୍ବାମୀ ବୁଧବାର ଭାଜପା ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି। କେବଳ ଏତିକି ନୁହେଁ, ତାଙ୍କ ସହ ଭାଜପାି ମୁଖପାତ୍ର ଅନୁଗୁଲା ରାକେଶ ରେଡ୍ଡୀ ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି।
ଇସ୍ତଫା ଦେବାର କିଛି ଘଣ୍ଟା ପରେ ଗାଡାମ ବିବେକ ଭେଙ୍କଟସ୍ବାମୀ ଏବଂ ତାଙ୍କ ପୁଅ ଭାମସି ଗାଡାମ ସହରରେ ରାହୁଲ ଗାନ୍ଧୀଙ୍କୁ ଭେଟି କଂଗ୍ରେସରେ ଯୋଗ ଦେଇଥିଲେ। କଂଗ୍ରେସର ସଦସ୍ୟତା ଗ୍ରହଣ କରି ବିବେକ କହିଛନ୍ତି, ବିଆରଏସର ଶାସନକୁ ଶେଷ କରିବା ପାଇଁ ଆମେ ପୁରାତନ ଦଳରେ ଯୋଗ ଦେଇଛୁ। କଂଗ୍ରେସରେ ଯୋଗଦେଇ ଆମେ ଭଲ ଅନୁଭବ କରୁଛୁ।
ଏହାପୂର୍ବରୁ ଗାଡାମ ବିବେକ ଭେଙ୍କଟସ୍ବାମୀଙ୍କ ତେଲେଙ୍ଗାନା ୟୁନିଟ ସଭାପତି ତଥା କେନ୍ଦ୍ର ମନ୍ତ୍ରୀ କିଷାନ ରେଡ୍ଡୀଙ୍କ ନିକଟକୁ ପଠାଯାଇଥିବା ଇସ୍ତଫା ପତ୍ରରେ ସେ କେବଳ ଦୁଇଟି ବାକ୍ୟ ଲେଖିଥିଲେ। ସେ ଲେଖିଥିଲେ, ଭାରି ହୃଦୟ ସହିତ ମୁଁ ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେଉଛି। ମୋର କାର୍ଯ୍ୟକାଳ ମଧ୍ୟରେ ତୁମର ସମର୍ଥନ ପାଇଁ ଧନ୍ୟବାଦ।
କଂଗ୍ରେସରେ ଯୋଗଦେବା ପରେ ଏବେ ଅନୁମାନ କରାଯାଉଛି ଯେ, ସେ ଚେନ୍ନୁର ବିଧାନସଭା ଆସନରୁ ନିର୍ବାଚନ ଲଢିପାରନ୍ତି, କିନ୍ତୁ ଆଗାମୀ ବର୍ଷ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ତାଙ୍କ ପୁଅଙ୍କୁ ପେଡାପାଲ୍ଲୀ ଆସନରୁ ଟିକେଟ ଦେଇପାରେ।

Share