Categories: ଜାତୀୟ

ତେଲଙ୍ଗାନା ବିଧାନସଭା ନିର୍ବାଚନ: କଂଗ୍ରେସକୁ ସମର୍ଥନ କରିବ ଟିଜେଏସ

ହାଇଦ୍ରାବାଦ,୩୦।୧୦: ସୋମବାର ତେଲଙ୍ଗାନା ଜନ ସମିତି (ଟିଜେଏସ) ଆସନ୍ତା ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳକୁ ସମର୍ଥନ କରିବ ବୋଲି ଘୋଷଣା କରିଛି। ହାଇଦ୍ରାବାଦରେ ତେଲଙ୍ଗାନା କଂଗ୍ରେସ ସଭାପତି ରେଭନ୍ତ ରେଡ୍ଡୀଙ୍କୁ ଭେଟିବା ପରେ ଟିଜେଏସ ପାର୍ଟି ମୁଖ୍ୟ ଏମ କୋଦଣ୍ଡରାମ ଏହି ନିଷ୍ପତ୍ତି ନେଇଛନ୍ତି।

ଶାସକ ଦଳ ଭାରତ ରାଷ୍ଟ୍ର ସମିତି (ବିଆରଏସ) କୁ ଚ୍ୟାଲେଞ୍ଜ କରୁଥିବା କଂଗ୍ରେସ ଏହି ସମର୍ଥନରେ ବହୁତ ଖୁସି ମନେ ହେଉଛି। ରେଭନ୍ତ ରେଡ୍ଡୀ ଟିଜେଏସର ଏହି ପଦକ୍ଷେପକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରିଛନ୍ତି।  ସୂଚନା ଅନୁଯାୟୀ, ତେଲଙ୍ଗାନା ଜନ ସମିତି ସଭାପତି ଏମ କୋଦଣ୍ଡରାମ କଂଗ୍ରେସକୁ ସମର୍ଥନ ଘୋଷଣା କରିବା ସହିତ କହିଛନ୍ତି ଯେ ତାଙ୍କ ଦଳ ତେଲଙ୍ଗାନା ବିଧାନସଭା ନିର୍ବାଚନ ୨୦୨୩ରେ କୌଣସି ପ୍ରାର୍ଥୀ ଦେବେ ନାହିଁ। ସୂଚନାଯୋଗ୍ୟ, କଂଗ୍ରେସର ବରିଷ୍ଠ ନେତା ତଥା ତେଲଙ୍ଗାନା କଂଗ୍ରେସ ଦାୟିତ୍ୱରେ ଥିବା ମାଣିକରାଓ ଠାକରେ ଏବଂ ରେଭନ୍ତ ରେଡ୍ଡୀ କୋଦଣ୍ଡରାମଙ୍କୁ ଭେଟିଥିଲେ।  ନଭେମ୍ବର ୩୦ରେ ତେଲଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ।

Share