Categories: ଜାତୀୟ

ଚାଷୀଙ୍କ ଭାବାବେଗ ସହ ଖେଳ ନାହିଁ

ନୂଆଦିଲ୍ଲୀ,୧୨।୪: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର୍‌) କେନ୍ଦ୍ର ସରକାରଙ୍କ ଧାନ କିଣା ନୀତିକୁ ଦୃଢ଼ ସମାଲୋଚନା କରିଛନ୍ତି। ତାଙ୍କ ରାଜ୍ୟରୁ ଧାନ କିଣିବେ କି ନାହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ୨୪ ଘଣ୍ଟା ମଧ୍ୟରେ ଜବାବ ଦିଅନ୍ତୁ ବୋଲି ସୋମବାର ନୂଆଦିଲ୍ଲୀରେ ଆୟୋଜିତ ପ୍ରତିବାଦ ରାଲିରେ କେସିଆର୍‌ ଆହ୍ବାନ ଦେଇଛନ୍ତି। କେନ୍ଦ୍ର ଜବାବ ନ ରଖିଲେ ସାରା ଦେଶରେ ଆନ୍ଦୋଳନ ହେବ ବୋଲି ତେଲଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌) ଅଧ୍ୟକ୍ଷ ଚେତାବନୀ ଦେଇଛନ୍ତି। ନୂଆଦିଲ୍ଲୀର ତେଲଙ୍ଗାନା ଭବନଠାରେ ଟିଆର୍‌ଏସ୍‌ ନେତାମାନେ ଧାରଣାରେ ବସିଥିଲେ। ଆମ ଚାଷୀମାନଙ୍କ ଭାବାବେଗ ସହ ଖେଳ ନାହିଁ। ସେମାନେ ଭିକାରୀ ନୁହନ୍ତି। ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ପାଇବା ଅଧିକାର ସେମାନଙ୍କର ରହିଛି ବୋଲି କେସିଆର୍‌ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି।
ସାରା ଦିନ ଧାରଣାରେ ବସିଥିବା କେସିଆର୍‌ଙ୍କୁ ଭାରତୀୟ କିଷାନ ୟୁନିୟନ (ବିକେୟୁ) ନେତା ରାକେଶ ଟିକାଏତ୍‌ ସମର୍ଥନ ଜଣାଇଛନ୍ତି। ୨୦୧୪ରେ ତେଲଙ୍ଗାନାରେ ଟିଆର୍‌ଏସ୍‌ କ୍ଷମତାକୁ ଆସିବା ପରେ ଦିଲ୍ଲୀରେ ଏହା ଥିଲା ଦଳର ପ୍ରଥମ ବିକ୍ଷୋଭ ସମାବେଶ। ରାଜ୍ୟର ସମ୍ପୂର୍ଣ୍ଣ ମନ୍ତ୍ରିମଣ୍ଡଳ, ଦଳୀୟ ଏମ୍‌ପି, ଏମ୍‌ଏଲ୍‌ସି ଏବଂ ଏମ୍‌ଏଲ୍‌ଏମାନେ ଧାରଣାରେ ବସିଥିଲେ। ଚଳିତ ରବି ଋତୁରେ ଉଷୁନା ଚାଉଳ କିଣିବା ପାଇଁ ତେଲଙ୍ଗାନା ସରକାର କେନ୍ଦ୍ରକୁ ଅନୁରୋଧ କରିଥିଲେ। କେନ୍ଦ୍ର ଏଥିପାଇଁ ମନା କରିଦେବା ପରେ ଟିଆର୍‌ଏସ୍‌ ଏହାର ପ୍ରତିବାଦକୁ ଜୋର୍‌ଦାର କରିବା ସହ ଦିଲ୍ଲୀରେ ପହଞ୍ଚତ୍ଛି। କେନ୍ଦ୍ର ସରକାର କେବଳ ଧାନ କିଣିବ, ଉଷୁନା ଚାଉଳ କିଣିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛି।

Share