Categories: ଜାତୀୟ

ଭାଜପାରେ ଯୋଗଦେବେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ! ଜାତୀୟ ରାଜନୀତିରେ ହଲଚଲ

ହାଇଦ୍ରାବାଦ,୧୮।୮: କଂଗ୍ରେସକୁ ଲାଗିବ ବଡ଼ ଝଟ୍‌କା। କାରଣ ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ ଅର୍ଥାତ୍‌ ରେବନ୍ଥ ରେଡ୍ଡୀ ଖୁବ୍‌ଶୀଘ୍ର ଭାରତୀୟ ଜନତା ପାର୍ଟିରେ ଯୋଗ ଦେବାକୁ ଯାଉଛନ୍ତି। ଏଭଳି ଚାଞ୍ଚଲ୍ୟକର ଖୁଲାସା ପରେ ଜାତୀୟ ରାଜନୀତିରେ ଚହଳ ପଡିଛି। ଖୋଦ୍‌ କଂଗ୍ରେସର ହେଭିଓ୍ବେଟ ନେତା ମଧ୍ୟ ଏନେଇ ସନ୍ଦେହ ଘେରରେ ଅଛନ୍ତି।

ଏଭଳି ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ବିଆରଏସର କାର୍ଯ୍ୟକାରୀ ଅଧ୍ୟକ୍ଷ କେଟି ରାମା ରାଓ। ଏନେଇ ରେବନ୍ଥ ଖୋଦ୍‌ ପ୍ରଧାନମନ୍ତ୍ରୀଙ୍କୁ ଭେଟି କଥା ହୋଇଛନ୍ତି ବୋଲି ସେ କହିଛନ୍ତି। ଆଉ ସେ ଖୁବ୍‌ଶୀଘ୍ର ଭାଜପାରେ ଯୋଗ ଦେବେ ବୋଲି ମଧ୍ୟ ଆଶ୍ୱସନା ଦେଇଛନ୍ତି। ରାମା ରାଓ କହିଛନ୍ତି, ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ ଖୁବ୍‌ ଶୀଘ୍ର ନିଜ ଟିମ୍‌ ସହ ଭାରତୀୟ ଜନତା ପାର୍ଟି ଯୋଗ ଦେବାକୁ ଯାଉଛନ୍ତି। ମୁଖ୍ୟମନ୍ତ୍ରୀ ରେବନ୍ଥଙ୍କର ଆଗାମୀ ରାଜନୈତିକ ଠିକଣା ଭାଜପା ଅଟେ। ଗଣମାଧ୍ୟକ ସହ ଏକ ଅନୌପଚାରିକ ସାକ୍ଷାତକାରରେ ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନିକଟରେ ନିଜର ଜଣେ ସହଯୋଗୀଙ୍କ ସହ ଏହି ଯୋଜନା ସମ୍ପର୍କରେ ଆଲୋଚନା କରିଛନ୍ତି। ସହଯୋଗୀଙ୍କ ସହ କଥାବାର୍ତ୍ତାବେଳେ ରେବନ୍ଥ କହିଛନ୍ତି, ତାଙ୍କର ଜନ୍ମ ଭାଜପାରେ ହୋଇଛି ଆଉ ତାଙ୍କର ରାଜନୈତିକ ଯାତ୍ରା ସେ ଭାଜପାରେ ହିଁ ଶେଷ କରିବେ।

ବିଆରଏସର କାର୍ଯ୍ୟକାରୀ ଅଧ୍ୟକ୍ଷ ଆହୁରି କହିଛନ୍ତି, ଭାଜପାରେ ସାମିଲ୍‌ ହେବା ନେଇ ମୁଖ୍ୟମନ୍ତ୍ରୀ ରେବନ୍ଥ, ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସହ କଥା ହୋଇଛନ୍ତି। ମୋଦିଙ୍କ ସହ ବାର୍ତ୍ତାଳପ ସମୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଦିନେ ସେ ତାଙ୍କର ରାଜନୈତିକ ଯାତ୍ରା ଏବିଭିପିରୁ ଆରମ୍ଭ କରିଥିଲେ ଆଉ ଏହି ଯାତ୍ରା ଭଗଓ୍ବା ପତାକା ତଳେ ଶେଷ କରିବେ।

ସୂଚନାଥାଉ କି, ରେଭନ୍ଥ ରେଡ୍ଡୀ ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବରେ ଗତବର୍ଷ ଶପଥ ନେଇଛନ୍ତି। ବିଧାନସଭା ନିର୍ବାନରେ ୧୧୯ଟି ଆସନରୁ ୬୪ଟି ଜିତିବା ପରେ କଂଗ୍ରେସ ରେଭନ୍ଥଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ କରିଛି। ୨୦୧୭ରେ ତେଲୁଗୁ ଦେଶମ ପାର୍ଟି ଛାଡି ରେଡ୍ଡୀ କଂଗ୍ରେସରେ ଯୋଗ ଦେଇଥିଲେ। ୨୦୨୧ରେ ରାଜ୍ୟ କଂଗ୍ରେସର ସେ ସଭାପତି ହୋଇଥିଲେ। ୧୭ବର୍ଷର ରାଜନୈତିକ କ୍ୟାରିୟରରେ ସେ ଜିଲା ପରିଷଦର ସଦସ୍ୟ, ବିଧାୟକ, ଏମପି ହେବା ପରେ ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

Share