Categories: ଜାତୀୟ

ପେନସନ ପାଇଁ ଫ୍ରିଜରେ ଲୁଚାଇ ରଖିଥିଲେ ଜେଜେ ବାପା’ଙ୍କ ମୃତଦେହ

ହାଇଦ୍ରାବାଦ,୧୩।୮: ଜେଜେ ବାପା’ଙ୍କ ପେନସନ ଟଙ୍କାରେ ଚାଲୁଥିଲା ଘର। କିନ୍ତୁ କୌଣସି କାରଣରୁ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା। ଏହି ଖବର ସାମ୍ନାକୁ ଆସିଲେ ପେନସନ ଆଉ ମିଳିବ ନାହିଁ। ଏଥିଯୋଗୁ ଜେଜେ ବାପା’ଙ୍କ ମୃତଦେହକୁ ଏକ ଚାଦରରେ ଗୁଡ଼ାଇ ଲୁଚାଇ ରଖିଥିଲେ ଫ୍ରିଜ୍‌ରେ। ତେଲେଙ୍ଗାନାର କାମାରେଡ୍ଡୀ ଜିଲାରୁ ସାମ୍ନାକୁ ଆସିଛି ଏଭଳି ଘଟଣା।

ଗୁରୁବାର ଘରୁ ପଚା ଗନ୍ଧ ଆସିବା ପରେ ପୋଲିସକୁ ଜଣାଇଥିଲେ ପଡ଼ୋଶୀ। ଯାଞ୍ଚ ପରେ ରେଫ୍ରିଜରେଟରରୁ ମିଳିଥିଲା ୯୨ ବର୍ଷୀୟା ବୃଦ୍ଧଙ୍କ ମୃତଦେହ।

ଅଭିଯୁକ୍ତ ନିଖିଲ ପୋଲିସ ଆଗରେ କହିଛନ୍ତି, କିଛି ଦିନ ତଳେ ଜେଜେ ବାପା’ଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ତାଙ୍କ ଅନ୍ତେଷ୍ଟ୍ରି ପାଇଁ ପାଖରେ ଟଙ୍କା ନ ଥିଲା। ଏଣୁ ମୃତଦେହକୁ ଚାଦର ଗୁଡ଼ାଇ ରେଫ୍ରିଜରେଟରରେ ରଖିବାକୁ ନିଷ୍ପତ୍ତି ନେଇଥିଲି। ତେବେ ପ୍ରାଥମିକ ତଦନ୍ତ ଅନୁଯାୟୀ, ବୃଦ୍ଧଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ନାହିଁ। ପ୍ରାୟ ୬ ଦିନ ତଳେ ତାଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ବର୍ତ୍ତମାନ ୨୩ ବର୍ଷୀୟ ଅଭିଯୁକ୍ତ ପେନସନ ଟଙ୍କା ପାଇଁ ମୃତଦେହକୁ ଲୁଚାଇ ରଖିଥିଲେ କି ନାହିଁ, ତା’ର ତଦନ୍ତ କରୁଛି ପୋଲିସ।

Share