ହାଇଦ୍ରାବାଦ,୧୧।୧୨: ଓ୍ବାଇଏସ୍ଆର୍ ତେଲଙ୍ଗାନା ପାର୍ଟି ଅଧ୍ୟକ୍ଷ ଓ୍ବାଇ.ଏସ୍. ଶର୍ମିଲାଙ୍କୁ ରାଜ୍ୟବ୍ୟାପୀ ପଦଯାତ୍ରା ଲାଗି ଅନୁମତି ନ ମିଳିବା ପ୍ରତିବାଦରେ ସେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନରେ ବସିଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ରବିବାର ପୋଲିସ ତାଙ୍କୁ ଜବରଦସ୍ତ ହସ୍ପିଟାଲକୁ ଉଠାଇନେଇଛି। ଶୁକ୍ରବାରଠାରୁ ଶର୍ମିଲା ଦଳ ମୁଖ୍ୟାଳୟରେ ଅନଶନରେ ବସିଥିଲେ। ପୋଲିସ ସେଠାରୁ ଗଣମାଧ୍ୟମ ପ୍ରତିନିଧି, ଦଳୀୟ କର୍ମୀ ଓ ନେତାଙ୍କୁ ତଡ଼ିଦେବା ସହ ଶର୍ମିଲାଙ୍କ ଅନଶନକୁ ବିଫଳ କରିଛି। ରବିବାର ପୂର୍ବାହ୍ନ ୧୧ଟାରେ ତାଙ୍କୁ ଜବରଦସ୍ତ ହସ୍ପିଟାଲ ନିଆଯାଇଥିଲା। ଅନଶନରତ ଶର୍ମିଲା ପାଣି ନ ପିଇବାରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଦ୍ରୁତ ଅବନତି ଦେଖାଦେଲା ବୋଲି ଦଳ ପକ୍ଷରୁ କୁହାଯାଇଛି। ଅବିଭକ୍ତ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍. ରାଜଶେଖର ରେଡ୍ଡୀଙ୍କ ଝିଅ ଏବଂ ବର୍ତ୍ତମାନର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଭଉଣୀ ଶର୍ମିଲାଙ୍କ ରକ୍ତଚାପ ଏବଂ ଗ୍ଲୁକୋଜ୍ ସ୍ତର ଅତ୍ୟଧିକ କମିଯିବା ସହ ଡିହାଇଡ୍ରେଶନ ସ୍ଥିତି ଉପୁଜିଥିଲା ବୋଲି ଡାକ୍ତର କହିଛନ୍ତି।