୨୦ରୁ ରାଜ୍ୟରେ ଟେଲି ମେଡିସିନ୍‌ ସେବା

ଭୁବନେଶ୍ୱର,୧୬।୭(ବ୍ୟୁରୋ)-ଆସନ୍ତା ୨୦ ତାରିଖରୁ ରାଜ୍ୟରେ ଆରମ୍ଭ ହେବ ଟେଲି ମେଡିସିନ ସେବା। ରାଜ୍ୟରେ କରୋନା କଟକଣା ପରିସ୍ଥିତି ଯୋଗୁ ସାଧାରଣ ରୋଗୀଟିଏ ହସ୍ପିଟାଲ ଯିବା ସମ୍ଭବ ହୋଇପାରୁ ନାହିଁ। ପ୍ରତିକାର ସ୍ବରୂପ ରାଜ୍ୟ ସରକାର ଟେଲି ମେଡିସିନ୍‌ ସେବା ଆରମ୍ଭ କରିବାକୁ ଯାଉଛନ୍ତି। ଏହି ସେବା ଦ୍ୱାରା ରୋଗୀ ଫୋନ୍‌ ମାଧ୍ୟମରେ ଡାକ୍ତରଙ୍କ ସହ ସିଧାସଳଖ ଯୋଗାଯୋଗ କରିପାରିବେ ଓ ରୋଗର ଉପଚାର ମଧ୍ୟ ପାଇପାରିବେ। ଏ ନେଇ ଗୁରୁବାର ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତି ହୋଇଛି। ସେହିପରି ରାଜ୍ୟର ୩୦ଟି ଜିଲା ମୁଖ୍ୟ ଚିକିତ୍ସାଳୟ, ୭ଟି ସରକାରୀ ମେଡିକାଲ କଲେଜ, ରାଉରକେଲା ଆର୍‌ଜିଏଚ୍‌, ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ, କଟକ ସ୍ଥିତ ଆଚାର୍ଯ୍ୟ ହରିହର କ୍ୟାନସର ପ୍ରତିଷ୍ଠାନ ଓ ଶିଶୁଭବନ ଭଳି ୪୧ଟି ସ୍ଥାନରେ ଆରମ୍ଭ ହେବ ବୋଲି ସ୍ଥିର ହୋଇଛି। ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ବିଭାଗୀୟ ସ୍ବତନ୍ତ୍ର ସଚିବ ତଥା ଡିଏମ୍‌ଇଟି ପ୍ରଫେସର ଡା. ସିବିକେ ମହାନ୍ତି, ସ୍ବାସ୍ଥ୍ୟ ସେବା ନିର୍ଦ୍ଦେଶକ ଡା. ବିଜୟ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Share