Categories: ଫୁରସତ

ପୃଥିବୀକୁ ଛୋଟ କରିଛି ଟେଲି ଯୋଗାଯୋଗ

ପ୍ରତିବର୍ଷ ମେ ୧୭ରେ ବିଶ୍ୱ ଟେଲି ଯୋଗାଯୋଗ ଦିବସ ପାଳନ କରାଯାଇଥାଏ। ୨୦୦୬ରେ ତୁର୍କୀର ଆଣ୍ଟାଲିଆରେ ଚାଲିଥିବା ଅନ୍ତର୍ଜାତୀୟ ଟେଲି କମ୍ୟୁନିକେଶନ ୟୁନିୟନର ବିଶ୍ୱସ୍ତରୀୟ ସମ୍ମିଳନୀ ଦ୍ୱାରା ପ୍ରତିବର୍ଷ ଏହି ଦିବସ ପାଳନ କରାଯିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।ଏହି ଦିବସ ୧୭ ମେ ୧୮୬୫ରେ ଅନ୍ତର୍ଜାତୀୟ ଟେଲି ଯୋଗାଯୋଗ ୟୁନିୟନର ପ୍ରତିଷ୍ଠାକୁ ସ୍ମରଣ କରିବା ପାଇଁ ପାଳନ କରାଯାଇଥାଏ। ସାମାଜିକ ପରିବର୍ତ୍ତନ ଆଣିବାରେ ଟେକ୍ନୋଲୋଜିର ଅବଦାନକୁ ଆଲୋକିତ କରିବା ପାଇଁ ୧୯୬୯ ମସିହାରେ ମିଳିତ ଜାତିସଂଘ ଦ୍ୱାରା ବିଶ୍ୱ ଟେଲି ଯୋଗାଯୋଗ ଦିବସ ପାଳନ ଲାଗି ପ୍ରସ୍ତାବ ଅଣାଯାଇଥିଲା। ୧୯୭୩ ରେ ମାଲାଗା-ଟୋରେମୋଲିନୋସରେ ସର୍ବଦଳୀୟ ସମ୍ମିଳନୀ ଦ୍ୱାରା ଏନେଇ ପ୍ରସ୍ତାବ ଆଗତ ହୋଇଥିଲା ।
ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ ହେଉଛି ଇଣ୍ଟରନେଟ ଏବଂ ନୂତନ ପ୍ରଯୁକ୍ତିବିଦ୍ୟା ଦ୍ୱାରା ସାମାଜିକ ପରିବର୍ତ୍ତନ ବିଷୟରେ ବିଶ୍ୱସ୍ତରୀୟ ସଚେତନତା ସୃଷ୍ଟି କରିବା। ଏହା ମଧ୍ୟ ଡିଜିଟାଲ ବିଭାଜନକୁ ହ୍ରାସ କରିବାରେ ସାହାଯ୍ୟ କରିବାକୁ ଲକ୍ଷ୍ୟ ରଖିଥାଏ।ଇଣ୍ଟରନେଟ ତଥା ଅନ୍ୟାନ୍ୟ ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା (ଆଇସିଟି)ର ବ୍ୟବହାର ସମାଜ ତଥା ଅର୍ଥନୀତିରେ ବିକାଶ ଆଣିବା ସହିତ ଡିଜିଟାଲ ବିଭେଦ ଦୂର କରିବାର ଉପାୟ ବିଷୟରେ ସଚେତନତା ସୃଷ୍ଟି କରିବା ଲାଗି ପ୍ରୋତ୍ସାହିତ କରିଥାଏ। ୧୭ ମେ’ରେ ପ୍ରଥମ ଅନ୍ତର୍ଜାତୀୟ ଟେଲିଗ୍ରାଫ ସମ୍ମିଳନୀ ସ୍ବାକ୍ଷର ଏବଂ ଅନ୍ତର୍ଜାତୀୟ ଟେଲି ଯୋଗାଯୋଗ ୟୁନିୟନ (ଆଇଟିୟୁ)ର ବାର୍ଷିକୀ ପାଳନକୁ ଏହି ଦିବସ ମଧ୍ୟ ସ୍ମରଣ କରିଥାଏ।
ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିର ଆବଶ୍ୟକତାକୁ ଗୁରୁତ୍ୱ ଦେଇ ବିଶ୍ୱ ଟେଲି ଯୋଗାଯୋଗ ଦିବସ ଗତ କିଛି ଦଶନ୍ଧିର ବୈଷୟିକ ସଫଳତାକୁ ବିକଶିତ କରିଛି।
ଏହି ଦିବସ ଏକ ନୂତନ ଥିମ୍‌ ଉପରେ ପର୍ଯ୍ୟବସିତ ହୋଇଥାଏ। ଚଳିତ ୨୦୨୩ ବର୍ଷ ପାଇଁ ଏହି ଦିବସର ବିଷୟବସ୍ତୁ ହେଉଛି ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ସର୍ବନିମ୍ନ ବିକଶିତ ଦେଶକୁ ସଶକ୍ତ କରିବା(ଏମ୍‌ପାଓ୍ବାରିଂ ଦି ଲିଷ୍ଟ ଡେଭଲପଡ୍‌ କଣ୍ଟ୍ରିଜ୍‌ ଥ୍ରୁ ଇନ୍‌ଫର୍ମେଶନ ଆଣ୍ଡ କମ୍ୟୁନିକେଶନ ଟେକ୍ନୋଲୋଜିସ୍‌)। ଏହି ଦିବସ ପାଳନ ଅବସରରେ ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଭିନ୍ନ କମ୍ପାନୀ ଏବଂ ଲୋକଙ୍କୁ ବିଶ୍ୱସ୍ତରୀୟ ସଂଯୋଗ ଏବଂ ଡିଜିଟାଲ ରୂପାନ୍ତରଣକୁ ପ୍ରୋତ୍ସାହିତ କରିଥାଏ।

Share