ଢେଙ୍କାନାଳ ଅଫିସ, ୧।୧୧: ଏବେ ଡିଜିଟାଲ ଯୁଗ। ବଦଳିଛି ଜୀବନଶୈଳୀ। ପୋଷାକ ପରିଚ୍ଛଦ, ଖାଦ୍ୟପେୟ, ନୃତ୍ୟଗୀତ ସବୁକିଛିରେ ବାରି ହୋଇପଡୁଛି ଆଧୁନିକତାର ଛୁଙ୍କ୍। ଜୀବନକୁ ଭିନ୍ନ ଢଙ୍ଗରେ ଜିଇବା ଆରମ୍ଭ କରିଛନ୍ତି ଯୁବପିଢ଼ି। ବଡ଼ ବଡ଼ ରେଷ୍ଟୁରାଣ୍ଟ, ତାରକା ହୋଟେଲରେ ହଲିଉଡ୍ ରିମିକ୍ସ ଗୀତରେ ମତୁଆଲା ହେଉଛନ୍ତି ସେମାନେ। ଏସବୁ ଭିତରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ପାରମ୍ପରିକ ଲୋକନୃତ୍ୟ, ଲୋକସଙ୍ଗୀତ, ଲୋକବାଦ୍ୟ ଊଣା ଅଧିକେ ପ୍ରଭାବିତ ହେଉଛି। ହେଲେ ପୃଷ୍ଠପୋଷକତା ମିଳିଲେ ଓଡ଼ିଶାର ପ୍ରାଚୀନ ଲୋକସଂସ୍କୃତି ପୁନର୍ଜୀବିତ ହୋଇପାରିବ, ଯାହା ଦେଖିବାକୁ ମିଳିଛି ‘ତେଲିଙ୍ଗି ବାଜା’ରୁ।
ଢେଙ୍କାନାଳର ଗଣପର୍ବ ସମୟରେ ଗଣେଶ ବଜାର ପୂଜା ପ୍ରତିଷ୍ଠାନ କମ୍ପି ଉଠିଥିଲା ‘ତେଲିଙ୍ଗି ବାଜା’ର ମନମତାଣିଆ ସ୍ବରରେ। ଯାଜପୁର ଜିଲା ତେନ୍ତୁଳିମାଳ ଅଞ୍ଚଳର ମୂଳନିବାସୀ ତଥା କଟକ କାଠଗଡ଼ା ସାହିରେ ରହୁଥିବା ବିରଜା କ୍ଷେତ୍ର ତେଲିଙ୍ଗି ବାଦ୍ୟର କଳାକାର ମାଷ୍ଟର ଭୀମସେନ ନାୟକ ଏବଂ ସାଥୀ ଚମତ୍କାର ଢଙ୍ଗରେ ବଜାଇଥିଲେ ତେଲିଙ୍ଗି ବାଜା। ତୂରୀ, ମୃଦଙ୍ଗ, ଝାଞ୍ଜର ଯୁଗଳବନ୍ଦୀ ସାଙ୍ଗକୁ ନୂଆ ପୁରୁଣା ଗୀତ ସୃଷ୍ଟି କରିଥିଲା ଆଧ୍ୟାତ୍ମିକ ପରିବେଶ। କେବଳ ବୟସ୍କ ନୁହନ୍ତି, ପୂଜା ବୁଲିବା ପାଇଁ ଆସିଥିବା ଶ୍ରଦ୍ଧାଳୁମାନେ ମଧ୍ୟ କଳାକାରଙ୍କ ବାଦ୍ୟ ପରିବେଷଣକୁ ଭୂରିଭୂରି ପ୍ରଶଂସା କରିଥିଲେ।
ଏ ସଂକ୍ରାନ୍ତରେ ମାଷ୍ଟର ଭୀମସେନ କୁହନ୍ତି, ଏହା ତାଙ୍କର କୌଳିକ ବୃତ୍ତି। ତାଙ୍କ ପୂର୍ବଜମାନେ ଏହାକୁ ବଜାଉଥିଲେ। ମାଙ୍ଗଳିକ କାର୍ଯ୍ୟ, ଶକ୍ତି ଆରାଧନା, ଶୋଭାଯାତ୍ରା, ଯଜ୍ଞାନୁଷ୍ଠାନରେ ତେଲିଙ୍ଗି ବାଦ୍ୟକୁ ପ୍ରାଥମିକତା ଦିଆଯାଉଥିଲା। ଏବେ ବି ଓଡ଼ିଶାର ପୁରପଲ୍ଲୀଠାରୁ ଆରମ୍ଭ କରି ସହରରେ ତେଲିଙ୍ଗି ବାଦ୍ୟର ଆଦର ରହିଛି। ପ୍ରତିବର୍ଷ ଲକ୍ଷ୍ମୀପୂଜାରେ ଗଣେଶ ବଜାର ପୂଜା ପ୍ରତିଷ୍ଠାନରେ ସକାଳେ ଓ ରାତିରେ ଦୁଇଥର ତେଲିଙ୍ଗି ବାଦ୍ୟ ବାଜିବା ପରମ୍ପରା ରହିଛି। ଏହା କଳାକାରଙ୍କୁ ଉତ୍ସାହିତ କରିବା ସହ ତେଲିଙ୍ଗି ବାଜା ପରମ୍ପରାକୁ ବଞ୍ଚାଇ ରଖିବାରେ ସହାୟତା କରୁଛି। ଏ ସଂକ୍ରାନ୍ତରେ ଗଣେଶ ବଜାର ପୂଜା କମିଟି ସମ୍ପାଦକ ବିଶ୍ୱନାଥ ବେହେରା କୁହନ୍ତି, ଓଡ଼ିଆ ସଂସ୍କୃତିରେ ପ୍ରତି ଶୁଭକାମରେ ତେଲିଙ୍ଗି ବାଦ୍ୟ ବାଜିବା ପରମ୍ପରାର ପ୍ରତୀକ ପାଲଟିଛି। ଦୀର୍ଘବର୍ଷ ହେବ ଆମ ପୂଜା ମଣ୍ଡପରେ ଏହି ବାଜା ବାଜିଥାଏ। ଏହାର ଚମତ୍କାର ସ୍ବର ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥାଏ।