Categories: ଜାତୀୟ

ସତ କହିବାର ଫଳ ମିଳିଲା: ରାଜେନ୍ଦ୍ର ସିଂ…

ଜୟପୁର,୨୨।୭ : ରାଜସ୍ଥାନର ଅଶୋକ ଗେହଲୋଟ ନେତୃତ୍ୱାଧୀନ କଂଗ୍ରେସ ସରକାରରେ ମନ୍ତ୍ରୀ ପଦରୁ ବହିଷ୍କୃତ ହେବା ପରେ ରାଜେନ୍ଦ୍ର ସିଂ ଗୁଦ୍ଧ କହିଛନ୍ତି ସତ୍ୟ କହିବାର ଫଳ ସ୍ବରୂପ ତାଙ୍କୁ ଦଣ୍ଡ ଦିଆଯାଇଛି। ୨୧ ଜୁଲାଇ ୨୦୨୩ ରେ ରାଜସ୍ଥାନର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରାଜେନ୍ଦ୍ର ସିଂ ଗୁଦ୍ଧଙ୍କୁ ରାଜ୍ୟ କଂଗ୍ରେସ ସରକାର ବରଖାସ୍ତ କରିଥିଲେ। ସେ ରାଜ୍ୟ ବିଧାନସଭାରେ ସରକାର ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବାରେ ବିଫଳ ହୋଇଥିବା ସେ ସ୍ବୀକାର କରିଥିଲେ।

ସେ କହିଥିଲେ ମଣିପୁରକୁ ଆଙ୍ଗୁଳି ନିର୍ଦ୍ଦେଶ କରିବା ପରିବର୍ତ୍ତେ ରାଜସ୍ଥାନ ସରକାର ମହିଳାଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେବା ଉଚିତ, ଯାହା ଏକ ଦାୟିତ୍ୱ। ଏହା କ୍ରମାଗତ ଭାବରେ ପୂରଣ କରିବାରେ ସରକାର ବିଫଳ ହୋଇଛନ୍ତି। ବରଖାସ୍ତ ପରେ ରାଜେନ୍ଦ୍ର ସିଂ କହିଛନ୍ତି ମୁଁ ଯାହା ଠିକ ବୋଲି ଭାବିଥିଲି ତାହା କହିଲି। ଏହା କହିବା ଅପରାଧ ନୁହେଁ। ମୁଁ ଯାହା କହୁଛି ତାହା ଠିକ ବୋଲି ମୁଁ କହୁଛି। ଯେତେବେଳେ ଏହି ସରକାର ସଂଖ୍ୟା ଗରିଷ୍ଠତା ସଙ୍କଟରେ ଥିଲେ। ସେତେବେଳେ ଏହି ସରକାରକୁ ମଜବୁତ କରିବା ପାଇଁ ଆମେ କୌଣସି ସୁଯୋଗ ଛାଡି ନ ଥିଲୁ। ଯେତେବେଳେ ବି ସରକାର ଉପରେ ସଙ୍କଟ ଦେଖାଦେଇଥିଲା ଅବା ଅସୁବିଧା ଥିଲା ଆମେ ଆମର ସମସ୍ତ ଶକ୍ତି ସହିତ ସରକାରଙ୍କ ପଛରେ ଠିଆ ହୋଇଥିଲୁ ।

ମୁଁ ସତ କଥା କହି ଦଣ୍ଡ ପାଇଲି। ମହିଳାଙ୍କୁ ବଳାତ୍କାର ମାମଲାରେ ରାଜସ୍ଥାନ ଶୀର୍ଷରେ ରହିଛି। ତ୍ରୁଟି ଦୂର କରିବା ପରିବର୍ତ୍ତେ ସରକାର ନିଷ୍କ୍ରିୟ ଅଛନ୍ତି। ଆମ ଭଉଣୀ ଏବଂ ଝିଅମାନେ ଆମକୁ କ୍ଷମତାକୁ ଆଣିବା ପାଇଁ ଭୋଟ ଦେଇଛନ୍ତ। ଯାହାଦ୍ୱାରା ଆମେ ସେମାନଙ୍କର ସମ୍ମାନ ରକ୍ଷା କରିପାରିବା। ସମସ୍ତ ରେକର୍ଡ କହୁଛି ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାରରେ ରାଜସ୍ଥାନ ଏକ ନମ୍ବରରେ ପହଞ୍ଚିଛି। ମୁଁ କେବଳ କହିଲି ଆମେ ନିଜକୁ ଅନୁଧ୍ୟାନ କରିବା ଉଚିତ। ଚାରି ମାସ ପରେ ଆମେ ଜନସାଧାରଣଙ୍କ ପାଖକୁ ଭୋଟ ପାଇଁ ଯିବା। ଆମେ ଲୋକମାନଙ୍କୁ କିପରି ସାମ୍ନା କରିବୁ? ମୁଁ କେବଳ ଅନୁସନ୍ଧାନ ବିଷୟରେ କହିଥିଲି ଏବଂ ଅନ୍ୟ କିଛି ନୁହେଁ । ସତ କଥା କହିଥିବାରୁ ମୋତେ ଦଣ୍ଡ ଦିଆଯାଇଛି।

Share