ନୂଆଦିଲ୍ଲୀ,୨୧।୧୦(ପି.ଟି.):୨୦୨୧ରେ ଅତ୍ୟଧିକ ଉତ୍ତାପ ଯୋଗୁ ଭାରତ ଆୟରେ ୧୫୯ ବିଲିୟନ ଡଲାର କ୍ଷତି ସହିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ଏହା ଜିଡିପିର ୫.୪ ପ୍ରତିଶତ। ଅତ୍ୟଧିକ ଉତ୍ତାପର ପ୍ରଭାବ ମୁଖ୍ୟତଃ ସେବା, ଉତ୍ପାଦନ, କୃଷି ଏବଂ ନିର୍ମାଣ ସେକ୍ଟରରେ ପଡ଼ିଥିଲା। ଏହା ଯୋଗୁ ଦେଶ ୧୬୭ ବିଲିୟନ ସମ୍ଭାବିତ ଶ୍ରମ ଘଣ୍ଟା ହରାଇଥିଲା, ଯାହାକି ୧୯୯୦-୧୯୯୯ ତୁଳନାରେ ୩୯ ପ୍ରତିଶତ ଅଧିକ ବୋଲି ଜଳବାୟୁ ସ୍ବଚ୍ଛତା ରିପୋର୍ଟ ୨୦୨୨ରେ କୁହାଯାଇଛି। ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନ ମିଳିତ ଭାବେ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି।
ବିଶ୍ୱ ତାପମାତ୍ରା ଯଦି ୧.୫ ଡିଗ୍ରୀ ସେଲ୍ସିୟସ୍ ବୃଦ୍ଧି ପାଏ ତେବେ ଭାରତର ଶ୍ରମ ଉତ୍ପାଦିକତା ୧୯୮୬-୨୦୦୬ ରିଫରେନ୍ସ ଅବଧି ତୁଳନାରେ ୫ ପ୍ରତିଶତ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି। ସେହିପରି ବିଶ୍ୱ ତାପମାତ୍ରା ୨.୫ ଡିଗ୍ରୀ ସେଲ୍ସିୟସ୍ ବୃଦ୍ଧି ପାଇଲେ ଶ୍ରମ ଉତ୍ପାଦିକତା ୨.୧ ଗୁଣ ଅଧିକ ହ୍ରାସ ପାଇବ ଏବଂ ୩ ଡିଗ୍ରୀ ବଢ଼ିଲେ ୨.୭ ଗୁଣ ଅଧିକ ହ୍ରାସ ପାଇବ ବୋଲି ରିପୋର୍ଟରେ କୁହାଯାଇଛି। ୨୦୧୬ରୁ ୨୦୨୧ ମଧ୍ୟରେ ସାମୁଦ୍ରିକ ବାତ୍ୟା, ବନ୍ୟା, ଭୂସ୍ଖଳନ ଭଳି ଭୀଷଣ ପାଗ ଯୋଗୁ ଭାରତରେ ୩୬ ନିୟୁତ ହେକ୍ଟର ଜମିର ଫସଲ ନଷ୍ଟ ହୋଇଛି ଏବଂ ଚାଷୀମାନେ ୩.୭୫ ବିଲିୟନ ଡଲାର କ୍ଷତି ସହିଛନ୍ତି। ୧.୫ ଡିଗ୍ରୀ ସେଲ୍ସିୟସ୍ ଉତ୍ତାପ ବଢ଼ିଲେ ବନ୍ୟା ଯୋଗୁ ବାର୍ଷିକ କ୍ଷତି ପ୍ରାୟ ୪୯ ପ୍ରତିଶତକୁ ବୃଦ୍ଧି ପାଇପାରେ ବୋଲି ରିପୋର୍ଟରେ କୁହାଯାଇଛି। ସେହିପରି ବାତ୍ୟା ଜନିତ କ୍ଷତି ୫.୭ ପ୍ରତିଶତ ବୃଦ୍ଧି ପାଇବ।
ଗତ ୩୦ ବର୍ଷ ମଧ୍ୟରେ ଭାରତରେ ବୃଷ୍ଟିପାତ ଢାଞ୍ଚାରେ ପରିବର୍ତ୍ତନ ଘଟିଛି। ଏହା କୃଷି, ବନୀକରଣ, ମତ୍ସ୍ୟଚାଷ ଆଦି ବିଭିନ୍ନ ଅର୍ଥନୈତିକ କାର୍ଯ୍ୟକୁ ପ୍ରଭାବିତ କରିଛି। ଉତ୍ତାପ ୧.୫ ଡିଗ୍ରୀ ସେଲ୍ସିୟସ୍ ବୃଦ୍ଧି ପାଇଲେ ଭାରତରେ ତୁଷାରପାତ ୧୩ ପ୍ରତିଶତ ହ୍ରାସ ପାଇବ ବୋଲି ରିପୋର୍ଟରେ କୁହାଯାଇଛି। ସେହିପରି ତାପମାତ୍ରା ଯଦି ୩ ପ୍ରତିଶତ ବୃଦ୍ଧି ପାଏ, ତୁଷାରପାତ ଅଧିକ ୨.୪ ଗୁଣ ହ୍ରାସ ପାଇବ। ପୃଥିବୀର ଉପରିଭାଗର ତାପମାତ୍ରା ୧୮୫୦-୧୯୦୦ ବର୍ଷର ହାରାହାରି ତାପମାତ୍ରା ତୁଳନାରେ ପ୍ରାୟ ୧.୧ ଡିଗ୍ରୀ ବୃଦ୍ଧି ପାଇଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଦେଶ ୨୦୧୫ର ପ୍ୟାରିସ ରାଜିନାମାକୁ ଗ୍ରହଣ କରିଛନ୍ତି, ଯେଉଁଥିରେ ତାପମାତ୍ରା ବୃଦ୍ଧିକୁ ପ୍ରାକ୍ ଶିଳ୍ପ ସ୍ତର ତୁଳନାରେ ୧.୫ ଡିଗ୍ରୀ ସେଲ୍ସିୟସ ମଧ୍ୟରେ ସୀମିତ ରଖିବାକୁ ଲକ୍ଷ୍ୟ ରଖାଯାଇଛି।