Categories: ଜାତୀୟ

ପେନ୍‌ସନ ଅର୍ଥରେ ମନ୍ଦିର ତୋଳିଲେ ମୁସଲମାନ ବ୍ୟକ୍ତି

ଚାମରାଜନଗର,୧୨।୪: କର୍ନାଟକରେ କିଛି ମାସ ହେଲା ସାମ୍ପ୍ରଦାୟିକ ଉତ୍ତେଜନା ଲାଗି ରହିଥିବାବେଳେ ଚାମରାଜନଗର ଜିଲାରେ ଜଣେ ମୁସଲମାନ ନିଜ ପେନ୍‌ସନ ଅର୍ଥରେ ମନ୍ଦିର ନିର୍ମାଣ କରି ରାଜ୍ୟବାସୀଙ୍କ ହୃଦୟ ଜିତିପାରିଛନ୍ତି। ପି. ରହମନ ନାମକ ଏହି ବ୍ୟକ୍ତି ଚିକ୍କାହୋଲ୍‌ ଜଳଭଣ୍ଡାରରେ କାର୍ଯ୍ୟ କରନ୍ତି। ସେ ନିଜ ପେନ୍‌ସନ ଅର୍ଥ ଖର୍ଚ୍ଚ କରି ଜଳଭଣ୍ଡାର ନିକଟରେ ଏକ ଗଣେଶ ମନ୍ଦିର ନିର୍ମାଣ କରିଛନ୍ତି। ତାଙ୍କର ଏହି ମହତ କାର୍ଯ୍ୟକୁ ସାରା ରାଜ୍ୟରେ ପ୍ରଶଂସା କରାଯାଉଛି। ମନ୍ଦିର ତୋଳିବା ଲାଗି ତାଙ୍କୁ ଦୈବୀବାଣୀ ହୋଇଥିଲା। ଏହା ତାଙ୍କର ଜୀବନବ୍ୟାପୀ ଅଭିଜ୍ଞତା, ଯାହା ମନେପଡ଼ିଲେ, ଆଖିକୁ ଲୁହ ଆସିଯାଇଥାଏ ବୋଲି ସେ କହିଛନ୍ତି।
ରହମନ କେବଳ ମନ୍ଦିର ନିର୍ମାଣ କରିନାହାନ୍ତି, ସେଠାରେ ଜଣେ ପୂଜକଙ୍କୁ ନିଯୁକ୍ତ କରିଛନ୍ତି। ତାଙ୍କୁ ପ୍ରତି ମାସରେ ୪,୦୦୦ ଟଙ୍କା ପାରିଶ୍ରମିକ ଦେଇଥାନ୍ତି ରହମନ। ଏହା ବ୍ୟତୀତ ପ୍ରତି ସୋମବାର ଓ ଶୁକ୍ରବାର ସେ ମନ୍ଦିର ପାଇଁ ଫୁଲ ଓ ଅନ୍ୟାନ୍ୟ ପୂଜା ସାମଗ୍ରୀ ଆୟୋଜନ କରିଥାନ୍ତି। ପୂଜାରେ ସାମିଲ ହୋଇଥିବା ପ୍ରତ୍ୟେକ ଶ୍ରଦ୍ଧାଳୁଙ୍କୁ ସେ ପ୍ରସାଦ ବଣ୍ଟନ କରିଥାନ୍ତି। ନିକଟରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ସମ୍ପର୍କରେ ପ୍ରଶ୍ନ ହେବାରୁ ଲୋକେ କାହିଁକି ଏଭଳି ହୁଅନ୍ତି, ତାହା ସେ ବୁଝିପାରନ୍ତି ନାହିଁ ବୋଲି କହିଛନ୍ତି। ସମସ୍ତଙ୍କ ରକ୍ତ ସମାନ, ମଣିଷ ମଧ୍ୟରେ କୌଣସି ଭିନ୍ନତା ନାହିଁ ବୋଲି ରହମନ କହିଛନ୍ତି।

Share