ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୪୧.୧ ଡିଗ୍ରୀ ପାର କରିଛି। ଏହାରି ମଧ୍ୟରେ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ତାତିରୁ ଏବେ ନିସ୍ତାର ମିଳିବ ନାହିଁ। ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ତାତି ଜାରି ରହିବ।

ବିସ୍ତାରିତ ପରିସର ଆକଳନ ଅନୁଯାୟୀ ୩ ରୁ ୯ ମଇ ମଧ୍ୟ୍ୟରେ ରାଜ୍ୟର ଗ୍ରୀଷ୍ମପ୍ରବାହ ଜାରି ରହିବା ସହ ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମପ୍ରବାହ ଲାଗିରହିବ ତଥା ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ୪୨ ରୁ ୪୪ ଡିଗ୍ରୀ ମଧ୍ୟରେ ତାତି ରେକର୍ଡ ହେବାର ସମ୍ଭାବନା ରହିଛି।

ଗୁରୁବାର ଦିନ ୨ ଟା ୩୦ ସୁଦ୍ଧା ଝାରସୁଗୁଡାରେ ୪୩.୬ଡିଗ୍ରୀ, ଭୁବନେଶ୍ୱର ୪୨.୨ ଡିଗ୍ରୀ, ହୀରାକୁଦ ୪୨.୨ ଡିଗ୍ରୀ, ସମ୍ବଲପୁର ୪୨.୨ ଡିଗ୍ରୀ, କେନ୍ଦୁଝର ୪୧.୮ ଡିଗ୍ରୀ, ଚାନ୍ଦବାଲି ୪୧.୮ ଡିଗ୍ରୀ, ରାଉରକେଲା ୪୧.୪ ଡିଗ୍ରୀ, ବାଲେଶ୍ୱର ୪୧ ଡିଗ୍ରୀ, ପୁରୀ ୩୫ ଡିଗ୍ରୀ, ଗୋପାଳପୁର ୩୪.୮ ଡିଗ୍ରୀ, ପାରାଦ୍ୱୀପ ୩୪.୨ ତାପମାତ୍ରା ରେକର୍ଡ ହୋଇଛି।

ତେବେ ଆଗାମୀ ୪ ରୁ ୫ ଦିନ ମଧ୍ୟରେ ଦିନ ତାପମାତ୍ରାରେ ଆହୁରି ୨ ରୁ ୪ଡିଗ୍ରୀ ଯାଏ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ତଥା ଆଗାମୀ ୫ଦିନ ରାଜ୍ୟର କିଛି ଜିଲାରେ ଭୀଷଣ ଗ୍ରୀଷ୍ମ ପ୍ରବାହ ତଥା କିଛି କିଛି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ଲାଗି ରହିବାର ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ଆସନ୍ତା ୨୭, ୨୮ରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ। ଏଥିପାଇଁ ରାଜ୍ୟରେ ସିଭିଅର ହିଟୱେଭ ନେଇ ସତର୍କ ସୂଚନା ଜାରି କରିଛି। ଗୁରୁବାର ଗଞ୍ଜାମ ଓ ଗଜପତିରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି।

Share