ଭୋପାଳ, ୧୯।୪: ମଧ୍ୟପ୍ରଦେଶର ଶାହଡୋଲ ଜିଲାରେ ଥିବା ସରକାରୀ ମେଡିକାଲ କଲେଜରେ ତରଳ ଅକ୍ସିଜେନ୍ ଟ୍ୟାଙ୍କରେ କମ୍ ଚାପ ଯୋଗୁ ୧୦ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ତେବେ ଜିଲା ପ୍ରଶାସନ ଏବଂ ହସ୍ପିଟାଲ କର୍ତ୍ତୃପକ୍ଷ ଉକ୍ତ ଅଭିଯୋଗକୁ ମିଥ୍ୟା ଓ ଭିତ୍ତିହୀନ କହି ଖଣ୍ଡନ କରିଛନ୍ତି। ଶନିବାର ରାତିରେ ଆଇସିୟୁରେ ୬ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହା ଅକ୍ସିଜେନ୍ ଅଭାବ ଜନିତ ନୁହେଁ। ଆଇସିୟୁରେ ମୋଟ ୬୨ ଜଣ ଗୁରୁତର ରୋଗୀ ଥିଲେ। ମୋଟ ଉପରେ ଗତ ରାତିରେ କୋଭିଡ୍ ହସ୍ପିଟାଲରେ ୨୫୫ ଜଣ ରୋଗୀ ଥିଲେ ଓ ସେମାନଙ୍କ ମଧ୍ୟରୁ ୧୫୫ ଜଣଙ୍କୁ ଅକ୍ସିଜେନ ଯୋଗାଇ ଦିଆଯାଇଥିଲା ବୋଲି ମେଡିକାଲ କଲେଜ ଡିନ୍ ଡ. ମିଲିନ୍ଦ ଶିରଲକର କହିଛନ୍ତି। ଅକ୍ସିଜେନ ଅଭାବ କିମ୍ବା ଅକ୍ସିଜେନ ଟାଙ୍କିରେ ଚାପ କମ୍ ଯୋଗୁ କାହାର ମୃତ୍ୟୁ ଘଟି ନ ଥିବା ଜିଲାପାଳ ସତ୍ୟେନ୍ଦ୍ର ସିଂ କହିଛନ୍ତି।