ଭିଡିଓ ଭାଇରାଲ ପରେ ବାତିଲ ହେଲା ଟେଣ୍ଡର ପ୍ରକ୍ରିୟା

ମାଲକାନଗିରି,୭ା୩(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକରେ ଗତ ଫେବୃଆରୀ ୧୯ରେ ଅତିରିକ୍ତ ଶ୍ରେଣୀଗୃହ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ବିଭିନ୍ନ ମୂଲ୍ୟର ମୋଟ ୧୮ କାର୍ଯ୍ୟ ନିମନ୍ତେ ଟେଣ୍ଡର ଆହ୍ବାନ କରାଯାଇଥିଲା। ଯାହା ବୁଧବାର ୬ ତାରିଖରେ ଆବେଦନ ପ୍ରକ୍ରିୟାର ଶେଷ ଦିନ ଥିଲା । କିନ୍ତୁ ଶେଷ ଦିନରେ ଜିଲାର ଏକାଧିକ ଠିକାଦାର ଏକତ୍ରିତ ହୋଇ ଟେଣ୍ଡର ଫିକ୍ସିଂ କରିଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। କେବେଳ ଭିଡ଼ିଓ ନୁହେଁ ବରଂ କେଉଁ ଠିକାଦାର କେଉଁ କାମ ପାଇବେ ଆଉ କେତେ ଟଙ୍କାରେ ଟେଣ୍ଡର ପକାଇବେ ସେ ନେଇ ଠିକାଦାର ଓ କାର୍ଯ୍ୟର ନାମ ସହ ଅର୍ଥରାଶି ଲେଖା ଥିବା ଏକ ପେପର ମଧ୍ୟ ଭାଇରାଲ ହୋଇଥିଲା।

ଗୁରୁବାର ବ୍ଲକରେ କମିଟି ଦ୍ୱାରା ଟେଣ୍ଡର ଖୋଲା ହେବା ପୂର୍ବରୁ ଠିକାଦାରଙ୍କ ନାମ ଲିଷ୍ଟ ଭାଇରଲ ହେବା ଟେଣ୍ଡର ଫିକ୍ସିଂ ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି। ଅନ୍ୟପକ୍ଷେ ବ୍ଲକ ପକ୍ଷରୁ ଏହି ଟେଣ୍ଡର ପ୍ରକ୍ରିୟାକୁ ବାତିଲ କରାଯାଇଥିବା ଜଣାପଡିଛି।

ଏନେଇ ଚିତ୍ରକୋଣ୍ଡା ବିଡିଓ ତନ୍ମୟ ପାତ୍ରଙ୍କୁ ପଚାରିବାରୁ ଟେଣ୍ଡର ପ୍ରକ୍ରିୟାରେ ଟେକ୍‌ନିକାଲ ସମସ୍ୟା ଯୋଗୁ ଏହାକୁ ବାତିଲ କରାଯାଇଛି । ଟେଣ୍ଡର ଖୋଲିବା ଦିନ ଏହାକୁ ବାତିଲ କରିବା ଘଟଣା ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଥିବା ବେଳେ ଏହାର ତଦନ୍ତ ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

Share