Categories: ଖେଳ

ତେନ୍ଦୁଲକର ୟୁନିସେଫ୍‌ର ଗୁଡ୍‌ଓ୍ବିଲ ଆମ୍ବାସାଡର

କଲମ୍ବୋ,୮ା୮: ଭାରତୀୟ କ୍ରିକେଟ କିମ୍ବଦନ୍ତୀ ସଚିନ୍‌ ତେନ୍ଦୁଲକରଙ୍କୁ ୟୁନିସେଫର ଗୁଡ୍‌ଓ୍ବିଲ ଆମ୍ବାସାଡର ଭାବରେ ନିଯୁକ୍ତ କରାଯାଇଛି। ଏହି ପରିପ୍ରେକ୍ଷୀରେ ସଚିନ୍‌ ସୋମବାର ଦୁଇଟି ସ୍କୁଲ ପରିଦର୍ଶନ କରିବା ସହ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିଛନ୍ତି। ଏହା ପୂର୍ବରୁ ୨୦୧୩ରେ ତାଙ୍କୁ ଦକ୍ଷିଣ ଏସୀୟ ଅଞ୍ଚଳ ପାଇଁ ସ୍ବଚ୍ଛତା ଓ ପରିଚ୍ଛନ୍ନତା ମିଶନର ଆମ୍ବାସାଡର ନିଯୁକ୍ତ କରାଯାଇଥିଲା। ସୋମବାର ସଚିନ୍‌ ଦକ୍ଷିଣ ପଶ୍ଚିମ ସାବରାଗାମୁଓ୍ବା ପ୍ରଦେଶର କେଗାଲେ ଜିଲାସ୍ଥିତ ଦୁଇ ସ୍କୁଲକୁ ଭ୍ରମଣ କରିଥିଲେ। ଏହି ଗସ୍ତ ସମୟରେ ପ୍ରାଇମେରୀ ସ୍କୁଲରେ ପାଠ ପଢୁଥିବା ଛାତ୍ରୀଛାତ୍ରଙ୍କ ସହ ସେ ଆଲୋଚନା କରିଥିଲେ। ଏହା ସହିତ ଉଭୟ ବାଳକ ଓ ବାଳିକାଙ୍କ ସହ କିଛି ସମୟ କ୍ରିକେଟ ମଧ୍ୟ ଖେଳିଥିଲେ ତେନ୍ଦୁଲକର।
ସଚିନ୍‌ଙ୍କ ପରି ଜଣେ କିମ୍ବଦନ୍ତୀ ଆମର ସ୍କୁଲକୁ ଆସିବା ଏକ ଗୌରବମୟ ମୁହୂର୍ତ୍ତ ବୋଲି ରାଜ୍ୟପାଳ ନବୀନ ଦିଶାନାୟକେ ପ୍ରକାଶ କରିଛନ୍ତି। ଦିଶାନାୟକେ ଟୁଇଟରରେ ଏକ ଫଟୋ ପୋଷ୍ଟ କରି ଏହି ଖବର ଶେୟାର କରିଛନ୍ତି। ମଙ୍ଗଳବାର କଲମ୍ବୋସ୍ଥିତ ସିନାମନ୍‌ ଲେକ୍‌ ସାଇଡ ସ୍କୁଲରେ ସଚିନ୍‌ ଏକ ଆଲୋଚନାଚକ୍ରରେ ଭାଗ ନେବେ ବୋଲି କୁହାଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ କୋଭିଡ୍‌ରେ ପ୍ରଭାବିତ ଶିଶୁମାନଙ୍କ ଉପରେ ମଧ୍ୟ ଆଲୋକପାତ କରାଯିବ ବୋଲି ଦିଶାନାୟକେ ପ୍ରକାଶ କରିଛନ୍ତି। ୟୁନିସେଫ୍‌ ସହିତ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଜଡିତ ଥିବା ତେନ୍ଦୁଲକର ପୂର୍ବରୁ ଏକାଧିକ ପ୍ରକଳ୍ପରେ କାମ କରି ସାରିଛନ୍ତି। ୨୦୦୩ରେ ଭାରତକୁ ପୋଲିଓ ମୁକ୍ତ କରିବା ପାଇଁ ସଚିନ୍‌ ୟୁନିସେଫ୍‌ ସହ ଯୋଡି ହୋଇଥିଲେ। ୨୦୦୮ରେ ଭାରତରେ ସ୍ବଚ୍ଛତା ଓ ପରିଚ୍ଛନ୍ନତା ସୃଷ୍ଟି କରିବା ପାଇଁ ସେ ଯୋଗ ଦେଇଥିଲେ। ମାନସିକ ଅନଗ୍ରସରତା ବିପକ୍ଷରେ ଲଢେଇ କାର୍ଯ୍ୟକ୍ରମ ‘ବ୍ୟାଟ୍‌ ଫର ବ୍ରେନ୍‌ ଡେଭେଲପମେଣ୍ଟ’ ପାଇଁ ସଚିନ୍‌ ୨୦୧୯ରେ ୩ ଦିନିଆ ନେପାଳ ଗସ୍ତ କରିଥିଲେ।

Share