Categories: ଖେଳ

ଲୋକପ୍ରିୟତା ହରାଉଛି ଦିନିକିଆ କ୍ରିକେଟ: ରୋମାଞ୍ଚକର କରିବାକୁ ମାଷ୍ଟର ବ୍ଲାଷ୍ଟରଙ୍କ ମାଷ୍ଟର ପ୍ଲାନ୍‌

ନୂଆଦିଲ୍ଲୀ,୧୮।୩: ଭାରତୀୟ ପୂର୍ବତନ ଅଧିନାୟକ ତଥା ତାରକା ବ୍ୟାଟ୍ସମ୍ୟାନ୍‌ ସଚିନ ତେନ୍ଦୁଲକର ଦିନିକିଆ କ୍ରିକେଟର ଲୋକପ୍ରିୟତା ହ୍ରାସକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏହାର ଫର୍ମାଟରେ ପରିବର୍ତ୍ତନ କରାଯିବା ଉଚିତ ବୋଲି କହିଛନ୍ତି। ଏଥିସହ ସେ ଏକ ମଜାଦାର ପରାମର୍ଶ ମଧ୍ୟ ଦେଇଛନ୍ତି।

ନିକଟରେ ଭାରତୀୟ ଦଳର ପୂର୍ବତନ କୋଚ୍‌ ମଧ୍ୟ ଦିନିକିଆ କ୍ରିକେଟ ଫର୍ମାଟରେ ପରିବର୍ତ୍ତନ ସମ୍ପର୍କରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଏହାକୁ ୪୦-୪୦ ଓଭରକୁ ହ୍ରାସ କରାଯିବା ଉଚିତ ବୋଲି ସେ କହିଥିଲେ। ତେବେ ସଚିନ ଏହା ସହ ସମ୍ପୂର୍ଣ୍ଣ ସହମତ ନୁହନ୍ତି। ୫୦ ଓଭରରେ ମଧ୍ୟ ଏହା ଆକର୍ଷଣୀୟ ହୋଇପାରିବ ବୋଲି ସେ କହିଛନ୍ତି।

ସାମ୍ପ୍ରତିକ ଫର୍ମାଟ ବିଷୟରେ ସଚିନ କହିଛନ୍ତି, ୩୦ ଓଭର ପରେ ବଲ୍‌ ସୁଇଂ କରିବା ଆରମ୍ଭ କରିଦିଏ। ହେଲେ ଏବେ ପ୍ରତ୍ୟେକ ଇନିଂସରେ ଏବେ ୨ ନୂଆ ବଲ୍‌ ମିଳୁଛି। ଏହି କାରଣରୁ ରିଭର୍ସ ସୁଇଂ ସମ୍ପୂର୍ଣ୍ଣ ଭାବେ ଦୂର ହୋଇଯାଉଛି। ୪୦ ଓଭର ମ୍ୟାଚ୍‌ ବିଷୟରେ କଥା ହେଲେ ଏଥିରେ କିଛି ପରିବର୍ତ୍ତନ ହେବ ନାହିଁ। କାରଣ ୨୦ ଓଭର ପରେ ପାଖରେ ନୂଆ ବଲ୍‌ ରହିବ। ଏଣୁ ମୁଁ ଭାବୁଛି ବୋଲରମାନଙ୍କ ପାଇଁ ବର୍ତ୍ତମାନର ଫର୍ମାଟ ସାମାନ୍ୟ କଷ୍ଟସାଧ୍ୟ। ଏହା ଅତ୍ୟଧିକ ପୂର୍ବାନୁମାନ କରାଯାଉଛି। ୧୫-୪୦ ଓଭର ମଧ୍ୟ ଏହା ଗତି ହରାଇବା ସହ ବିରକ୍ତିକର ହେଉଛି ବୋଲି ସେ କହିଛନ୍ତି।
ତେବେ ଦିନିକିଆକୁ ରୋମାଞ୍ଚକର କରିବା ଲାଗି ପରାମର୍ଶ ଦେଇ ସଚିନ କହିଛନ୍ତି, ୫୦ ଓଭର ଫର୍ମାଟ ବଜାୟ ରଖିବାରେ

କୌଣସି କ୍ଷତି ନାହିଁ। ହେଲେ ପ୍ରତି ୨୫ ଓଭର ପରେ ଦଳମାନେ ବ୍ୟାଟିଂ ଏବଂ ବୋଲିଂ ବିକଳ୍ପ କରିବା ଉଚିତ। ଏହା ଉଭୟ ଦଳକୁ ସମାନ ସୁଯୋଗ ଦେବ। ମ୍ୟାଚ୍‌ରୁ କାକର ଭଳି କାରକକୁ ଦୂର କରିବ। ଏହିଭଳି ଉଭୟ ଟିମ୍‌ ପ୍ରଥମାର୍ଦ୍ଧ ଏବଂ ଦ୍ୱିତୀୟାର୍ଦ୍ଧରେ ବୋଲିଂ କରିବେ। ଏହା ମଧ୍ୟ ବ୍ୟବସାୟିକ ଭାବେ ପ୍ରଭାବଶାଳୀ ହେବ କାରଣ ଦୁଇଟି ବଦଳରେ ତିନୋଟି ଇନିଂସ ବ୍ରେକ୍‌ ରହିବ ବୋଲି ସେ କହିଛନ୍ତି।

Share