Categories: ଖେଳ

କିଟ୍‌ରେ ଟେନିସ ଏକାଡେମୀ ଉଦ୍‌ଘାଟିତ

ଭୁବନେଶ୍ୱର, ୨।୨ (କ୍ରୀଡ଼ା ପ୍ରତିନିଧି): ରାଜ୍ୟରେ ଟେନିସକୁ କ୍ୟାରିୟର କରୁଥିବା କିମ୍ବା କରିବାକୁ ଚାହୁଁଥିବା ଖେଳାଳିଙ୍କ ପାଇଁ ଏକ ଭଲ ଖବର। ବୁଧବାର କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଏକ ଉଚ୍ଚ ମାନର ଟେନିସ ଏକାଡେମୀ ଉଦ୍‌ଘାଟିତ ହୋଇଯାଇଛି। ଏହାର ନାମ ରଖାଯାଇଛି କିଟ୍‌-ଆଲେକଜାଣ୍ଡର ଓ୍ବାସ୍‌କେ-ଅଲ୍‌ଟେଭୋଲ ଟେନିସ୍‌ ଏକାଡେମୀ। ଜର୍ମାନୀର ପୂର୍ବତନ ଗ୍ରାଣ୍ଡସ୍ଲାମ୍‌ ଟେନିସ୍‌ ତାରକା ତଥା ଆଲେକଜାଣ୍ଡର ୱାସ୍‌କେ ଟେନିସ୍‌ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଆଲେକଜାଣ୍ଡର ୱାସ୍‌କେ, ଅହମଦାବାଦସ୍ଥିତ ଅଲଟେଭୋଲ ଟେନିସ୍‌ ଏକାଡେମୀ ଏବଂ କିଟ୍‌ ସହଯୋଗରେ ଏହା ସମ୍ଭବ ହୋଇପାରିଛି। କିଟ୍‌ ଟେନିସ୍‌ ଗ୍ରାଉଣ୍ଡରେ ଆୟୋଜିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଓଡ଼ିଶାର କ୍ରୀଡ଼ା ଓ ଯୁବସେବା ତଥା ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା, କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା ଏମ୍‌ପି ଅଚ୍ୟୁତ ସାମନ୍ତ, ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ କମିଶନର ତଥା ଶାସନ ସଚିବ ଆର. ଭିନିଲ୍‌ କ୍ରିଷ୍ଣା, ଆଲେକଜାଣ୍ଡର ୱାସକେ, ଅଲଟେଭୋଲ ଟେନିସ୍‌ ଏକାଡେମୀର ପ୍ରତିଷ୍ଠାତା ଚିରାଗ ପଟେଲ୍‌ ଓ ନିର୍ଦ୍ଦେଶକ ଶ୍ରୀମଲ୍‌ ଭଟ୍ଟ ପ୍ରମୁଖ ଯୋଗ ଦେଇଥିଲେ। ଟେନିସ ଏକାଡେମୀ ପ୍ରତିଷ୍ଠାରେ ସହଯୋଗ କରିଥିବାରୁ ଆଲେକଜାଣ୍ଡର ୱାସ୍‌କେ ଏବଂ ଅଲଟେଭୋଲ ଟେନିସ୍‌ ଏକାଡେମୀର ପ୍ରତିଷ୍ଠାତାଙ୍କୁ ଅଚ୍ୟୁତ ଧନ୍ୟବାଦ ଜଣାଇଥିଲେ।
ତିନି ବର୍ଗରେ ଦିଆଯିବ ତାଲିମ
”ଓଡ଼ିଶା ଏବଂ ଭାରତର ଅନ୍ୟ ରାଜ୍ୟରେ ବହୁ ପ୍ରତିଭାବାନ୍‌ ଖେଳାଳି ଅଛନ୍ତି। ଏହି ଏକାଡେମୀ ଓଡ଼ିଶାରେ ଟେନିସ୍‌ ଖେଳର ପ୍ରସାର ସହ ଆଗାମୀ ଦିନର ଗ୍ରାଣ୍ଡ ସ୍ଲାମ୍‌ ଖେଳାଳି ସୃଷ୍ଟି କରିବାରେ ସହାୟକ ହେବ“ ବୋଲି ଏକାଡେମୀ ପକ୍ଷରୁ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଓ୍ବାସ୍‌କେ ସୂଚନା ଦେଇଛନ୍ତି। ଏଠାରେ ଉପସ୍ଥିତ ଥିବା କିଟ୍‌ ଓ କିସ୍‌ର କ୍ରୀଡ଼ା ମହାନିର୍ଦ୍ଦେଶକ ଗଗନେନ୍ଦୁ ଦାଶ୍‌ କହିଲେ ଯେ, ”ଆଲେକଜାଣ୍ଡର ଓ୍ବାସ୍‌କେ-ଅଲ୍‌ଟେଭୋଲ ଟେନିସ୍‌ ଏକାଡେମୀ ଏବଂ କିଟ୍‌ର ମିଳିତ ସହଯୋଗରେ ଏହି ଏକାଡେମୀରେ ଟେନିସ୍‌ ଖେଳ ପ୍ରତି ଆଗ୍ରହ ଥିବା ପିଲାଙ୍କୁ ପ୍ରଶିକ୍ଷଣ ଦିଆଯିବ। ଏଥିରେ କିଟ୍‌ ଓ କିସ୍‌ ସମେତ ଅନ୍ୟ ପିଲାମାନେ ମଧ୍ୟ ଟେନିସ୍‌ ପ୍ରଶିକ୍ଷଣ ନିମନ୍ତେ ଆବେଦନ କରି ନାମ ଲୋଖାଇପାରିବେ। ଏହି ବିଶ୍ୱବିଦ୍ୟାଳୟରେ ରାଜ୍ୟ ତଥା ଦେଶ ବିଦେଶର ପିଲାମାନେ ପଢ଼ୁଥିବାରୁ ସେମାନଙ୍କ ପାଇଁ ଏହି ଏକାଡେମୀ ବିଶେଷ ସହାୟକ ହେବ। ମୁଖ୍ୟତଃ ତିନୋଟି ପର୍ଯ୍ୟାୟରେ ଟ୍ରେନିଂ ବ୍ୟବସ୍ଥା ରହିବ। ପ୍ରଥମ ପର୍ଯ୍ୟାୟରେ ଟେନିସ୍‌ ପ୍ରତିଭାମାନଙ୍କୁ ଚିହ୍ନଟ କରାଯାଇ ତାଲିମ ପ୍ରଦାନ କରାଯିବ, ଦ୍ୱିତୀୟ ପର୍ଯ୍ୟାୟରେ ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟସ୍ତରର ଟେନିସ୍‌ ଖେଳାଳିଙ୍କ ପାଇଁ ତାଲିମ୍‌ ବ୍ୟବସ୍ଥା ରହିବ ଏବଂ ତୃତୀୟ ପର୍ଯ୍ୟାୟରେ ଅଭିଜ୍ଞ ଟେନିସ୍‌ ଖେଳାଳିଙ୍କୁ ହାଇ-ପରଫର୍ମାନ୍ସ ତାଲିମ୍‌ ପ୍ରଦାନ କରାଯାଇ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଖେଳାଳି ସୃଷ୍ଟି ପାଇଁ ଉଦ୍ୟମ କରାଯିବ। ଏଠାରେ ତାଲିମ ପାଇଁ ଅନ୍ତର୍ଜାତୀୟସ୍ତରର ୧୫ଜଣ କୋଚ ଏବଂ ଫିଜିଓ ବ୍ୟବସ୍ଥା ରହିବ। ଏହା ବ୍ୟତୀତ ସମୟକୁ ସମୟ ୱାସ୍‌କେ ଓଡ଼ିଶା ଆସି ତାଲିମ ପ୍ରଦାନ କରିବେ। ଅନ୍ୟ ସମୟରେ ସେ ଭର୍ଚୁଆଲରେ ତାଲିମ୍‌ ପାଇଁ ଉପଲବ୍ଧ ରହିବେ। ଫଳରେ ଆଗାମୀ ଦିନରେ ଏକାଡେମୀରୁ ଅନ୍ତର୍ଜାତୀୟ ସ୍ତରର ଟେନିସ୍‌ ଖେଳାଳି ବାହାରିବେ ବୋଲି ଗଗନେନ୍ଦୁ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଲଟେଭୋଲ୍‌ ଟେନିସ୍‌ ଏକାଡେମୀ ପ୍ରତିଷ୍ଠାତା ଚିରାଗ ପଟେଲ, ନିର୍ଦ୍ଦେଶକ ଶ୍ରୀମୟ ଭଟ୍ଟ ଏବଂ ପ୍ରକାଶ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ।

 

Share