ବନ୍ୟା ପରେ ଚିନ୍ତା

ଯାଜପୁର ଅଫିସ,୧୮ା୮: ଯାଜପୁର ଜିଲା ଦେଇ ପ୍ରବାହିତ ବ୍ରାହ୍ମଣୀ, ବୈତରଣୀ, ବୁଢ଼ା, ଖରସ୍ରୋତା, ବିରୂପା, କାଣୀ ଆଦି ନଦୀର ବନ୍ୟାଜଳ ତଟାଞ୍ଚଳବାସୀଙ୍କ ପାଇଁ କାଳ ହୋଇଛି। ଜିଲାରେ ଗତ ୧୭ ବର୍ଷରେ ନିୟମିତ ବ୍ୟବଧାନରେ ୬ଟି ବଡ଼ ବନ୍ୟା ଆସିଛି। ସେହି ବନ୍ୟା ଲୋକଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ତଥାପି ବନ୍ୟାର ସ୍ଥାୟୀ ପ୍ରତିକାର ପାଇଁ ଦୃଢ଼ ପଦକ୍ଷେପ ନେବାରେ ସରକାର ବିଫଳ ହେଉଛନ୍ତି। ବନ୍ୟା ପରେ ମନ୍ତ୍ରୀ, ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କ କେବଳ ଚିନ୍ତା ବଢ଼ିଛି। ହେଲେ ପରବର୍ତ୍ତୀ ସମୟରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହୋଇଛି।

ଯାଜପୁର ଜିଲାରେ ବନ୍ୟା ବିତ୍ପାତ ନୂଆ କଥା ନୁହେଁ। ବର୍ଷାଋତୁ ଆସିଲେ ଯାଜପୁର ଜିଲା ନଦୀକୂଳବାସୀ ଭୟରେ କାଳାତିପାତ କରିଥାନ୍ତି। ଏହିକ୍ରମରେ ବନ୍ୟା ନିୟନ୍ତ୍ରଣ ପାଇଁ ସମନ୍ବିତ ନଦୀ ପରିଚାଳନା ଯୋଜନା, ବ୍ୟାରେଜ ଆଦି ସରକାରୀ ପ୍ରତିଶ୍ରୁତିରେ ଅଟକିଛି। ଏହାବାଦ୍‌ ବେଆଇନ ବାଲିଖାଦାନ ସମେତ ଖଣି ଓ ଶିଳ୍ପସଂସ୍ଥାର ବର୍ଜ୍ୟବସ୍ତୁ ନଦୀଶଯ୍ୟାକୁ ପୋତି ଚାଲିଛି। ଏହାର ସମାଧାନ ପାଇଁ କେନ୍ଦୁଝର ଓ ଯାଜପୁର ଜିଲାର ଲୋକମାନେ ସଙ୍ଗଠନ ମାଧ୍ୟମରେ ଦୀର୍ଘଦିନ ହେବ ଆନ୍ଦୋଳନ ଓ ଦାବି କରି ଆସୁଛନ୍ତି। ବୈତରଣୀ ନଦୀର ଦକ୍ଷିଣ ପାର୍ଶ୍ୱ ଏବଂ ବ୍ରାହ୍ମଣୀ, ଖରସ୍ରୋତା ଓ ବୁଢା ନଦୀର ବାମପାର୍ଶ୍ୱ, ବିରୂପା ନଦୀର ଦକ୍ଷିଣପାର୍ଶ୍ୱରେ ସମୁଦାୟ ପ୍ରାୟ ୨୧୦ କିମି ବନ୍ଧ ଓ ଅପରପାର୍ଶ୍ୱରେ ୧୮୦ କିମି ବନ୍ଧ ନିର୍ମାଣ ହୋଇଛି। କିନ୍ତୁ ଏହି ନଦୀବନ୍ଧରେ ଯେଭଳି ଘାଇ ନ ହେବ ସେଥିପ୍ରତି ସ୍ଥାୟୀ ପ୍ରତିକାର ହୋଇ ପାରିଲାନାହିଁ। ୨୦୨୦ ଅଗଷ୍ଟ ବନ୍ୟାରେ ଜିଲାରେ ୩୦ ଛୋଟବଡ ଘାଇ ସୃଷ୍ଟି ହୋଇଥିଲା। ଏଥିରେ ପ୍ରାୟ ୧୦ଲକ୍ଷ ଲୋକ ପ୍ରଭାବିତ ହୋଇଥିଲାବେଳେ ୧୨ ଜଣଙ୍କ ଜୀବନ ଯାଇଥିଲା। ୨୦୦୫ରେ ମଧ୍ୟ ଅଭୂତପୂର୍ବ ବନ୍ୟା ଦେଖା ଦେଇଥିଲା। ଯେଉଁଥିରେ ଯାଜପୁର ଓ ଭଦ୍ରକ ଜିଲାର ୨୨୦ ଗ୍ରାମର ୧ ଲକ୍ଷ ୪୦ ହଜାର ଲୋକ ପ୍ରଭାବିତ ହୋଇଥିଲେ। ୨୦୧୧ ପ୍ରଳୟଙ୍କରୀ ବନ୍ୟାରେ ଯାଜପୁର ଜିଲାର ୧୪୨ ଗ୍ରାମ ପଞ୍ଚାୟତର ୪୯୯ ଗ୍ରାମର ୪ ଲକ୍ଷ ୯୧ ହଜାର ୧୧୪ ଲୋକ ଏବଂ ୨ଲକ୍ଷ ୬୧ ହଜାର ୫୪୦ ପ୍ରାଣୀ ସମ୍ପଦ ପ୍ରଭାବିତ ହୋଇଥିଲେ। ୨୦୧୫ ଜୁଲାଇ ବନ୍ୟାରେ ୫୭ ପଞ୍ଚାୟତର ୨୧୯ ଗ୍ରାମର ୧,୦୭,୩୧୭ ଲୋକ ପ୍ରଭାବିତ ହୋଇଥିଲେ। ୨୦୧୭ ବନ୍ୟାରେ ଜିଲାର ୯ଟି ବ୍ଲକର ୫୭ଟି ପଞ୍ଚାୟତ ୧୩୨ଟି ଗ୍ରାମର ୧,୨୪,୦୭୬ ଲୋକ ପ୍ରଭାବିତ ହୋଇଥିଲେ। ପାଣିରେ ବୁଡି ୩ ଜଣଙ୍କର ମୃତ୍ୟୁ ହୋଇଥିଲା। ୨୦୧୧ ବନ୍ୟା ପରେ ୨୦୨୦ ଅଗଷ୍ଟ ବନ୍ୟା ଅଧିକ ପୀଡ଼ାଦାୟକ ହୋଇଛି ବୋଲି ବନ୍ୟା ବିପନ୍ନମାନେ କହିଥିଲେ। ବୈତରଣୀରେ ଚଳିତ ବନ୍ୟାରେ ଏଯାଏ ୧୧ ପଞ୍ଚାୟତର ୧୨ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ତଥାପି ଚେତା ପଶିଲା ନାହିଁ, ବରଂ ବନ୍ୟା ପରେ ମନ୍ତ୍ରୀ, ବିଧାୟକ ଓ ପ୍ରଶାସନର ଉଚ୍ଚ କର୍ତ୍ତୃପକ୍ଷ ବନ୍ୟା ଦୁର୍ଗତଙ୍କ ପାଖକୁ ଯାଇ ଦୁଃଖସୁଖ ହେବାର ସୌଭାଗ୍ୟ ପାଇଛନ୍ତି। ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇ କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା, ରାସ୍ତାଘାଟର ନିର୍ମାଣ ଆଦି କିପରି ହେବ ସେ ନେଇ ଯୋଜନା ହେଉଛି। ଏଥିରେ ରାଜକୋଷର ବିପୁଳ ପରିମାଣର ଅର୍ଥ ବ୍ୟୟ ହୋଇଥାଏ। ସେଥିରୁ ସିଂହଭାଗ ଅର୍ଥ ବାଟମାରଣା ହେଉଥିବା ମଧ୍ୟ ଅଭିଯୋଗ ହୋଇ ଆସୁଛି। ନଦୀ ଉପତ୍ୟକା ଅଞ୍ଚଳକୁ ଅତିକମରେ ୨୨ଟି ନାଳ ଦ୍ୱାରା ସଂଯୋଗୀକରଣ କରାଗଲେ ବନ୍ୟାର ପ୍ରକୋପକୁ ଜିଲାରେ ହ୍ରାସ କରାଯାଇପାରନ୍ତା ବୋଲି ପୂର୍ବରୁ ଦାବିପତ୍ର ଦ୍ୱାରା ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ବନ୍ୟା ସମୟର ପାଣି ସମୁଦ୍ରକୁ ବୋହି ଯାଉଥିବାରୁ ଖରସ୍ରାତା, ବୁଢା, ବ୍ରାହ୍ମଣୀ, ବୈତରଣୀ ନଦୀର ତଳମୁଣ୍ଡରେ ଅନ୍ତତଃ ୪ଟି ଲେଖଏ ଚେକ୍‌ଡ୍ୟାମ୍‌ କରାଯିବାକୁ ବହୁ ଦିନରୁ ଦାବି ହୋଇ ଆସୁଛି। ବୈତରଣୀ ଉପରମୁଣ୍ଡରେ ଆନନ୍ଦପୁର ବ୍ୟାରେଜ ନିର୍ମାଣ ଅଧାରେ ଅଟକିଛି। ବନ୍ୟା ପ୍ରକୋପରୁ ଜିଲାଟିକୁ ରକ୍ଷା କରିବା ପାଇଁ ପୋତି ହୋଇ ପଡିଥିବା ବ୍ରାହ୍ମଣୀ ନଦୀର ଶଯ୍ୟାକୁ ଖୋଳି ସୁନାବ୍ୟା କରାଯାଇ ପାରିଲା ନାହିଁ। ବ୍ରିଟିଶ ଅମଳରୁ ବ୍ରାହ୍ମଣୀ ନଦୀ ଉପରେ ଜେନାପୁରଠାରେ ନିର୍ମିତ ଆନିକଟ ସମ୍ପୂର୍ଣ୍ଣ ପୋତି ହୋଇ ପଡିଥିଲେ ହେଁ ସରକାର ଏଥିପ୍ରତି ଦୃଷ୍ଟି ଦେଇ ନାହାନ୍ତି। ତେବେ ବ୍ରାହ୍ମଣୀ ନଦୀର ବିକାଶ ପାଇଁ ଜଳସମ୍ପଦ ବିଭାଗ କମିଶନର ଦେଇଥିବା ପ୍ରତିଶ୍ରୁତି ବ୍ରାହ୍ମଣୀ ନଦୀକୁ ଚିରସ୍ରୋତା କରିବା, ବ୍ରାହ୍ମଣୀ ଓ କେଲୁଅ ନଦୀର ଜେନାପୁରଠାରୁ କାଇପଡା ମଧ୍ୟରେ ୪ଟି ବ୍ୟାରେଜ ନିର୍ମାଣ ପ୍ରସ୍ତାବ ଆଦି ଅସମାହିତ ରହିଛି। ବ୍ରାହ୍ମଣୀ ବଞ୍ଚାଅ ଆନ୍ଦୋଳନ ଜରିଆରେ ଯାଜପୁର, ରସୁଲପୁର, ଧର୍ମଶାଳା, ବରୀ, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡା, ଆଳି, ରାଜକନିକା ଅଞ୍ଚଳର ଶତାଧିକ ବୁଦ୍ଧିଜୀବୀ, ସାମାଜିକ କର୍ମୀ, ରାଜନେତା ଓ ସ୍ଥାନୀୟ ସରପଞ୍ଚ ପ୍ରମୁଖ ସାମିଲ ହୋଇ ବ୍ରାହ୍ମଣୀକୁ ଚିରସ୍ରୋତା କରିବା ନେଇ ଦୀର୍ଘଦିନ ହେବ ଆନ୍ଦୋଳନ କରି ଆସୁଛନ୍ତି।

ବ୍ରହ୍ମଚାରୀପାଟଣା ଗ୍ରାମର ବିଜୟାନନ୍ଦ ମହାନ୍ତି, ଡୋଭାବିଲ ଗ୍ରାମର ମୃତ୍ୟୁଞ୍ଜୟ ଜେନା ପଞ୍ଚପଡ଼ା ଗ୍ରାମର ଓ୍ବାର୍ଡ ମେମ୍ବର ପ୍ରମୋଦ ପାଣିଗ୍ରାହୀ ପ୍ରମୁଖ କୁହନ୍ତି ଜଳସେଚନ ବିଭାଗର ୭୫ ବର୍ଷର ଅବହେଳା କାରଣରୁ ଘାଈ ସୃଷ୍ଟି ହେଉଛି। ବୈତରଣୀରୁ ବାହାରିଥିବା କାଣୀ ନଦୀ ମୁହାଁଣରେ ଜଳନିୟନ୍ତ୍ରଣ ପାଇଁ ସ୍ଲୁଇସ ଗେଟ ମାଧ୍ୟମରେ ଜଳ ପରିଚାଳନା କରିବାକୁ ୨୦୦୨ରୁ ଦାବି କରାଯାଉଛି। କିନ୍ତୁ ଏଥିପ୍ରତି ପ୍ରଶାସନିକ ଅବହେଳା କାରଣରୁ ବନ୍ୟାର ସ୍ଥାୟୀ ପ୍ରତିକାର ହୋଇ ପାରୁନାହିଁ। ଏ ଦିଗରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।

ହର୍ଷବର୍ଦ୍ଧନ ବେହେରା

Share