ମୋଦିଙ୍କ ଫଟୋରୁ ସମ୍ପର୍କରେ ତିକ୍ତତା

ମାଲେ,୮।୧: ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାକ୍ଷାଦ୍ୱୀପ ଗସ୍ତ କରି ସାମାଜିକ ଗଣମାଧ୍ୟମରେ କେତେକ ଫଟୋ ପୋଷ୍ଟ କରିଥିଲେ। ସେଥିରୁ ବିବାଦ ଉପୁଜିବା ପରେ ଭାରତ-ମାଳଦ୍ୱୀପ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଛି। ସୋସିଆଲ ମିଡିଆରେ ମୋଦି ଲେଖିଥିଲେ, ଯେଉଁମାନେ ରୋମାଞ୍ଚକୁ ଭଲ ପାଆନ୍ତି, ସେମାନେ ନିଶ୍ଚିତ ଭାବେ ଲାକ୍ଷାଦ୍ୱୀପ ଆସିବା ଉଚିତ। ଇତିମଧ୍ୟରେ ଗୁଗଲରେ ‘ଲାକ୍ଷାଦ୍ୱୀପ’କୁ ଲୋକେ ସର୍ଚ୍ଚ କରିବା ସହ ପର୍ଯ୍ୟଟକମାନେ ଛୁଟିରେ ମାଳଦ୍ୱୀପ ପରିବର୍ତ୍ତେ ଲାକ୍ଷାଦ୍ୱୀପକୁ ଯିବା ଉଚିତ ବୋଲି ସାମାଜିକ ଗଣମାଧ୍ୟମରେ ବିତର୍କ ସୃଷ୍ଟି ହେଲା। ଫଳରେ ମାଳଦ୍ୱୀପର ମନ୍ତ୍ରୀ ମରିୟମ୍‌ ଶିଉନା ମାଇକ୍ରୋବ୍ଲଗିଂ ସାଇଟ୍‌ ଏକ୍ସ’ରେ ମୋଦିଙ୍କୁ ‘କ୍ଲୋନ୍‌’ ଏବଂ ‘ପପେଟ୍‌’ ବୋଲି ଉଲ୍ଲେଖ କରିଥିଲେ। ଆଉ ଏକ ପୋଷ୍ଟରେ ସେ ଲେଖିଥିଲେ, ମାଳଦ୍ୱୀପକୁ ଭାରତୀୟ ସେନାର ଆବଶ୍ୟକତା ନାହିଁ। ମରିୟମ୍‌ଙ୍କ ପରେ ମାଳଦ୍ୱୀପର ଅନ୍ୟ ୨ ମନ୍ତ୍ରୀ ମାଲ୍‌ଗା ଶରିଫ ଓ ମହଦୁମ୍‌ ମାଜିଦ୍‌ ମଧ୍ୟ ଅନୁରୂପ ମନ୍ତବ୍ୟ ଦେଇଥିଲେ। ଆମ ଭଳି ଆତିଥେୟତା ଓ ସେବା ଆଉ କେଉଁ ଦେଶ ଦେଇପାରିବ ବୋଲି ସେମାନେ ପ୍ରଶ୍ନ ଉଠାଇଥିଲେ। ଏହା ଉପରେ ଭାରତୀୟ ସେଲିବ୍ରିଟିମାନେ ନାନା ମନ୍ତବ୍ୟ ଦେବାରେ ଲାଗିଲେ। ବିବାଦ ବଢ଼ିବାରୁ ମାଳଦ୍ୱୀପ ସରକାର ରବିବାର ଉପରୋକ୍ତ ୩ ମନ୍ତ୍ରୀଙ୍କୁ ନିଲମ୍ବନ କରିଛନ୍ତି।

Share