ଦୁଇ ୱାର୍ଡ ସୀମା ବିବାଦକୁ ନେଇ ଉତ୍ତେଜନା

ବ୍ରହ୍ମପୁର,୧୮।୧୦(ସ୍ମୃତି ରଞ୍ଜନ ମହାଲିକ): ବ୍ରହ୍ମପୁର ମହାନଗର ନିଗମ(ବିଇଏମ୍‌ସି)ର ୩୭ ଓ ୩୮ ନଂ ୱାର୍ଡର ସୀମାକୁ ନେଇ ୨ କର୍ପୋରେଟରଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି। ଗତ କାଉନସିଲ ବୈଠକରେ ସୀମା ନିର୍ଦ୍ଧାରଣ ପାଇଁ ୩୭ ନଂ. ୱାର୍ଡ କର୍ପୋରେଟର ଧାରଣାରେ ବସିଥିଲେ। ଏହାପରେ ମେୟର ଓ କମିଶନର ଉକ୍ତ ଅଞ୍ଚଳ ପରିଦର୍ଶନକୁ ଯାଇ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ମଙ୍ଗଳବାର ବିଇଏମସି ମେୟର ସଂଘମିତ୍ରା ଦଳେଇ, ବିଧାୟକ ବିକ୍ରମ କୁମାର ପଣ୍ଡା, କମିଶନର ଜେ. ସୋନାଲ ଓ ବିଇଏମସି ସୀମା ନିର୍ଦ୍ଧାରଣ କମିଟି ଅଧ୍ୟକ୍ଷ ତଥା ଭାଜପା କର୍ପୋରେଟର ପ୍ରଦୀପ କୁମାର ଶତପଥୀ ସୀମା ନିର୍ଦ୍ଧାରଣ ହେବାକୁ ଥିବା ସ୍ଥାନ ଅର୍ଥାତ ଆଡୁଆ ସାହିଠାରେ ପହଞ୍ଚିଥିଲେ। ସେ ସମୟରେ ୩୭ ନଂ ୱାର୍ଡ କର୍ପୋରେଟର ବନିତା ସାହୁ ଉପସ୍ଥିତ ଥିବା ବେଳେ ୩୮ ନଂ ୱାର୍ଡର ବିଜେଡି କର୍ପୋରେଟର ଉପସ୍ଥିତ ନ ଥିଲେ। ମେୟର, କମିଶନର, ବିଧାୟକ ଓ କମିଟି ଅଧ୍ୟକ୍ଷ ସେଠାକାର ବାସିନ୍ଦାଙ୍କୁ ଗତ ନିର୍ବାଚନ ସମୟରେ ସେମାନେ କେଉଁ କର୍ପୋରେଟରଙ୍କୁ ଭୋଟ ଦେଇଥିଲେ ବୋଲି ପଚାରିଥିଲେ। ବାସିନ୍ଦା ୩୭ ନଂ ୱାର୍ଡ କର୍ପୋରେଟରଙ୍କୁ ଭୋଟ ଦେଇଥିବା ନେଇ ସୂଚନା ଦେଇଥିଲେ। ଫଳରେ ଉକ୍ତ ସ୍ଥାନଟି ୩୭ ନଂ ୱାର୍ଡରେ ଯାଉଥିବା ନେଇ ବିଇଏମସି ପକ୍ଷରୁ କୁହାଯାଇଥିଲା। ଏଣୁ ଏଠାରେ ୱାର୍ଡର ଉନ୍ନତିମୂଳକ କାର୍ଯ୍ୟ ପାଇଁ ୱାର୍ଡ ଅଫିସ ଓ ପାଠାଗାର ନିର୍ମାଣ ହେବ ବୋଲି କହିଥିଲେ। କିନ୍ତୁ ସମସ୍ୟାର ସମାଧାନ ପରିବର୍ତ୍ତେ ସେଠାରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ୩୭ ନଂ ୱାର୍ଡ କର୍ପୋରେଟର ଓ ୩୮ ନଂ ୱାର୍ଡ କର୍ପୋରେଟର ସ୍ବାମୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। କମିଶନର ଉକ୍ତ ୱାର୍ଡର କର୍ପୋରେଟରଙ୍କ ସ୍ବାମୀଙ୍କୁ ତାଗିଦ ମଧ୍ୟ କରିଥିଲେ। ତେବେ ୩୮ ନଂ ୱାର୍ଡର ଜଣେ ଠିକାଦାର ଆକ୍ରୋଶ ମୂଳକ ଭାବେ ଆକ୍ରମଣ କରିଥିବା ନେଇ କର୍ପୋରେଟର ବନିତା ସାହୁ ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ସନ୍ଧ୍ୟାରେ ଗଞ୍ଜାମ ଜିଲା ଭାଜପା ପକ୍ଷରୁ ଅତିରିକ୍ତ ଏସପିଙ୍କୁ ସାକ୍ଷାତ କରି ୨୪ ଘଣ୍ଟା ମଧ୍ୟରେ ଅଭିଯୁ୍‌କ୍ତଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି। ନଚେତ ଆଗାମୀ ଦିନରେ ରାଜନୈତିକ ଲଢେଇ ହେବ ବୋଲି ଜିଲା ଭାଜପା ସଭାପତି ବିଭୂତି ଭୂଷଣ ଜେନା ଚେତାବନୀ ଦେଇଛନ୍ତି।