ଶ୍ରୀନଗର, ୨୬।୯: ଜମ୍ମୁ-କଶ୍ମୀରର ନିୟନ୍ତ୍ରଣ ରେଖାରେ ଶନିବାର ପୂର୍ବାହ୍ନ ୧୧ଟା ୧୫ରେ ପୁଣି ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟ ଗୁଡ଼ିକରୁ ଭାରତୀୟ ପୋଷ୍ଟକୁ ଲକ୍ଷ୍ୟ କରି ମୋର୍ଟାର ଶେଲିଂ ମାଡ଼ କରାଯାଇଛି। ରାଜୌରୀ ନୌଶେରା ସେକ୍ଟରରେ ପାକିସ୍ତାନ ପଟୁ ଘନଘନ ମୋର୍ଟାର ଶେଲିଂ ମାଡ଼ କରାଯାଇଥିବା ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାର ଉତ୍ତରରେ ଭାରତୀୟ ଯବାନଙ୍କ ପକ୍ଷରୁ ପାଲଟା ଗୁଳିମାଡ଼ କରାଯାଇଛି। ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଥିବାରୁ ଏଲ୍ଓସିରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏହାଯୋଗୁ ନିୟନ୍ତ୍ରଣ ରେଖା ନିକଟରେ ଥିବା ଲଞ୍ଚପ୍ୟାଡ୍ରୁ ଭାରତରେ ଆତଙ୍କବାଦୀ ଅନୁପ୍ରବେଶ କରାଇବା ଲାଗି ପାକିସ୍ତାନ ଜାଣିଶୁଣି ଏଭଳି କରୁଥିବା କୁହାଯାଉଛି।