ପୋଲିସ ହେପାଜତରେ ଥିବା ଯୁବକଙ୍କ ମୃତ୍ୟୁ, ବୀରମିତ୍ରପୁର ଅଞ୍ଚଳରେ ଚାପା ଉତ୍ତେଜନା

କୁଆଁରମୁଣ୍ଡା,୧୯।୧୧(ଡି.ଏନ୍‌.ଏ.)-ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ପୋଲିସ ହେପାଜତରେ ଥିବା ଜଣେ ଯୁବକଙ୍କର ଗୁରୁବାର ମୃତ୍ୟୁୁ ହୋଇଯାଇଛି। ସେ ହେଉଛନ୍ତି ବୀରମିତ୍ରପୁର କରବୋଲା ରୋଡ୍‌ର ତାରିକ ସଲିମ୍‌(୨୪) । ଏହି ଖବର ପ୍ରଚାରିତ ହେବାପରେ ଗୁରୁବାର ସକାଳୁ ବୀରମିତ୍ରପୁର ଅଞ୍ଚଳବାସୀଙ୍କ ପକ୍ଷରୁ ଥାନାରେ ଚାପା ଉତେଜନା ସୃଷ୍ଟି ହୋଇଛି। ଶତାଧିକ ଅଞ୍ଚଳବାସୀ ବୀରମିତ୍ରପୁର ଥାନା ଭିତରେ ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ଉପସ୍ଥିତ ପୋଲିସ ଫୋର୍ସ ଏହାକୁ ବିରୋଧ କରିଥିଲେ। ଏହି ସମୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ହେଲେ ପୋଲିସ ଫୋର୍ସ ଏହାକୁ ରୋକିବାରେ ସଫଳ ହୋଇଥିଲା। ଲୋକଙ୍କ ଆକ୍ରୋଶ ଏପରି ଥିଲା କି ଏହି ସମୟରେ ଉପସ୍ଥିତ କେତେକ ଗଣମାଧ୍ୟମ ପ୍ରତିନିଧି ଫଟୋ ଉଠାଉଉଥିବା ବେଳେ ଉତ୍ୟକ୍ତ ଲୋକେ କାହିଁକି ଫଟୋ ଉଠାଉଛ ବୋଲି କହି ସେମାନଙ୍କଠାରୁ ମୋବାଇଲ ଛଡାଇ ନେବା ସହ ଧକ୍କା ମଧ୍ୟ ମାରିଥିଲେ। ଏହି ଖବର ପାଇ ସୁନ୍ଦରଗଡ଼ ଏସ୍‌ପି ସାଗରିକା ନାଥ,ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ ଓ ଜିଲାର ବିଭିନ୍ନ ଥାନାର ବରିଷ୍ଠ ଅଧିକାରୀମାନେ ବୀରମିତ୍ରପୁର ଥାନାରେ ପହଁଞ୍ଚି ପରିସ୍ଥିତି ପ୍ରତି ସତର୍କ ନଜର ରଖିଛନ୍ତି।

ସୂଚନାନୁଯାୟୀ,କ୍ରସର ବ୍ୟବସାୟୀ ପ୍ରଦୀପ କୁଣ୍ଡୁ ନିଖୋଜ ଘଟଣାରେ ସନ୍ଦେହ କରି ପୋଲିସ କରବୋଲା ରୋଡ ଅଞ୍ଚଳର ତାରିକ୍‌ ସଲିମକୁ ବୁଧବାର ସନ୍ଧ୍ୟାରେ ତାଙ୍କ ଘରୁ ଉଠାଇ ନେଇ ଥାନାରେ ରଖି ପଚରାଉଚରା କରୁଥିଲା। ହେଲେ ଥାନାରେ ତାଙ୍କର ଅବସ୍ଥା ଗୁରୁତର ହୋଇଥିଲା। ଗୁରୁତର ଅବସ୍ଥାରେ ପୋଲିସ ତାରିକଙ୍କୁ ପ୍ରଥମେ କୁଆଁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ ନେଇଥିଲାା ହେଲେ ସେଠାରେ ଡାକ୍ତର ତାଙ୍କୁ ଆର୍‌ଜିଏଚ୍‌କୁ ରେଫର କରିଥିଲେ। ପୋଲିସ ତାଙ୍କୁ ସେଠାକୁ ନେଉଥିବାବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ବୋଲି ଆରଜିଏଚ୍‌ ଡାକ୍ତର ପୋଲିସକୁ କହିଥିଲେ। ଏହାପରେ ମୃତ ତାରିକଙ୍କ ଶବକୁ ପୋଲିସ ଆରଜିଏଚ୍‌ ଶବାଗାରରେ ରଖିଥିଲାା ହେଲେ ହାଜତରେ ପୋଲିସ ପିଟିପିଟି ତାରକଙ୍କୁ ମାରି ଦେଇଛି ବୋଲି ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି ା ଏ ନେଇ ସୁନ୍ଦରଗଡ଼ ଜିଲା ଏସ୍‌ପି ସାଗରିକା ନାଥ କହିଛନ୍ତି ଯେ,ଏହାର ଏନ୍‌.ଏଚ୍‌.ଆର୍‌.ସି ଗାଇଡ଼ଲାଇନ୍‌ ଅନୁଯାୟୀ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ା

Share