ଟିକେଟକୁ ନେଇ କନ୍ଦଳ ତେଜୁଛି

ଭୁବନେଶ୍ୱର, ୬।୩ (ବ୍ୟୁରୋ): ପୌର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପାଇଁ ଆଉ ମାତ୍ର ୨ଦିନ ସମୟ ରହିଛି। ତେବେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ରେ ଟିକେଟ ପାଇବାକୁ ଆଶାୟୀ ସଂଖ୍ୟା ଅଧିକ ରହୁଥିବାରୁ ପ୍ରାର୍ଥୀ ଚୟନ ବିଭିନ୍ନ ଦଳ ପାଇଁ ବୁମେରାଂ ପାଲଟିଛି। ସଂରକ୍ଷଣ ଆରମ୍ଭରୁ ହିଁ କର୍ପୋରେଟର ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି। ଦୀର୍ଘ ବର୍ଷ ଧରି ଦଳ ପାଇଁ କାମ କରୁଥିବା କେତେଜଣ ଆଶାୟୀ ସଂରକ୍ଷଣ ଯୋଗୁ ବାଦ୍‌ ପଡିଥିବାବେଳେ ଏବେ ଆଉ କେତେଜଣଙ୍କୁ ନାନା ବାହାନା ଦେଖାଇ ଟିକେଟ ଦିଆଯାଇ ନ ଥିବାରୁ ଦଳୀୟ କନ୍ଦଳ ତୀବ୍ର ହେବାରେ ଲାଗିଛି। ଇତିମଧ୍ୟରେ କଂଗ୍ରେସ ତା’ର ୩୦ ଓ୍ବାର୍ଡ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲେ ମଧ୍ୟ ବିଜେଡି ଓ ଭାଜପାରେ ଟିକେଟକୁ ନେଇ ଟଣାଓଟରା ବିଷମ ପରିସ୍ଥିତି ସୃଷ୍ଟି କରିଛି। ଏପରିକି ଏହି ଦୁଇ ଦଳ ଅଧିକାଂଶ ଓ୍ବାର୍ଡ ପାଇଁ ଏଯାଏ ପ୍ରାର୍ଥୀ ଘୋଷଣା କରିପାରୁନାହାନ୍ତି। ଫଳରେ ଟିକେଟ ପାଇବା ପୂର୍ବରୁ ବହୁ ପ୍ରାର୍ଥୀ ସ୍ବାଧୀନ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି।
ସୂଚନାନୁସାରେ, ଦଳ ପକ୍ଷରୁ ଓ୍ବାର୍ଡ ପାଇଁ କର୍ପୋରେଟର ପ୍ରାର୍ଥୀ ଚୟନ ହୋଇ ସାରିଥିଲେ ବି କନ୍ଦଳ ଓ ଅସନ୍ତୋଷ ଲାଗି ରହିଥିବାରୁ ବିଧିମତେ ଘୋଷଣା ହୋଇପାରୁ ନାହିଁ। ବିଜେଡି ପକ୍ଷରୁ କେତେଜଣଙ୍କୁ ଟିକେଟ ମିଳିବା ନେଇ ଫୋନ୍‌ ଯୋଗେ ନିଶ୍ଚିତ କରାଯାଇଛି। ସେମାନେ ନାମାଙ୍କନପତ୍ର ଦାଖଲ କରିବାକୁ ପ୍ରସ୍ତୁତ ହେଉଥିବାବେଳେ ବାକି କେତେକ ଓ୍ବାର୍ଡ ପାଇଁ ପ୍ରାର୍ଥୀ ଚୟନ ରବିବାର ହେବ ବୋଲି ଜଣାପଡିଛି। ସେହିଭଳି ଭାଜପାରେ ମଧ୍ୟ କେତେଜଣଙ୍କ ପ୍ରାର୍ଥତ୍ତ୍ୱ ସଂକ୍ରାନ୍ତରେ ସ୍ପଷ୍ଟ କରାଯାଇଛି। ଫଳରେ ଟିକେଟ ମିଳୁ ନ ଥିବା ଜାଣିବା ପରେ ବହୁ ଅସନ୍ତୁଷ୍ଟ ଆଶାୟୀ ପ୍ରାର୍ଥୀ ଦଳ ଛାଡ଼ିବାକୁ ଚିନ୍ତା କରୁଥିବାବେଳେ ଆଉ କେତେଜଣ ସ୍ବାଧୀନ ଭାବେ ଲଢ଼ିବାକୁ ସଜବାଜ ହେଲେଣି। ୬୩ନଂ ଓ୍ବାର୍ଡରେ ଏପରି କିଛି ସ୍ଥିତି ଦେଖିବାକୁ ମିଳିଛି। ଟିକେଟ ନ ମିଳିବାରୁ ଭାଜପାର ପୂର୍ବତନ କର୍ପୋରେଟର ରଘୁନାଥ ମହାନ୍ତି ଶେଷରେ ଶୁକ୍ରବାର ଦଳରୁ ଇସ୍ତଫା ଦେଇଛନ୍ତି। ଦୀର୍ଘଦିନଧରି ସେ ଦଳର ଜଣେ ସକ୍ରିୟ କର୍ମୀ ଭାବେ ଲୋକଙ୍କ ସୁଖ ଦୁଃଖର ସାଥୀ ହୋଇ ରହିଛନ୍ତି। ମାତ୍ର ଦଳ ତାଙ୍କ ପ୍ରତି ଅଣଦେଖା କରିଥିବା ଅଭିଯୋଗ କରି ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି। ଏଥିସହ ସ୍ଥାନୀୟ ବାସିନ୍ଦାଙ୍କ ସମର୍ଥନରେ ସେ ତାଙ୍କ ସ୍ତ୍ରୀ ଲକ୍ଷ୍ମୀପ୍ରିୟା ମହାନ୍ତିଙ୍କୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢିବାକୁ ସ୍ଥିର କରିଛନ୍ତି। ଚଳିତ ବର୍ଷ ଉକ୍ତ ଓ୍ବାର୍ଡ ଏଥର ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଶନିବାର ସ୍ତ୍ରୀଙ୍କ କର୍ପୋରେଟର ପ୍ରାର୍ଥତ୍ତ୍ୱ ପାଇଁ ରଘୁନାଥ ଫର୍ମ କିଣି ନେଇଛନ୍ତି। ସୋମବାର ନିଜ ସମର୍ଥକଙ୍କ ସହିତ ଆସି ଲକ୍ଷ୍ମୀପ୍ରିୟା ପ୍ରାର୍ଥତ୍ପତ୍ର ଦାଖଲ କରିବେ ବୋଲି ସେ ସୂଚନା ଦେଇଛନ୍ତି। ତେବେ କେବଳ ଭାଜପା ନୁହେଁ, ଅନ୍ୟ ଦଳରେ ମଧ୍ୟ ଏପରିସ୍ଥିତି ସୃଷ୍ଟି ହୋଇଥିବାରୁ ଏକପ୍ରକାର ବିଦ୍ରୋହ ଆରମ୍ଭ ହୋଇଛି। ଭୋଟରେ କିଛି ଏପଟସେପଟ କରିବାର ଆଶଙ୍କା ଥିବାରୁ ଦଳୀୟ ନେତୃବୃନ୍ଦ ଅସନ୍ତୁଷ୍ଟଙ୍କୁ ମଧ୍ୟ କାମ ଓ ବିଭିନ୍ନ ପଦର ଲୋଭ ଦେଖାଉ ବୁଝାଇବାକୁ ଚେଷ୍ଟା ଜାରି ରଖିଥିବା ଜଣାପଡିଛି।

Share