Categories: ଜାତୀୟ

ଏଲ୍‌ଏସିରେ ଉତ୍ତେଜନା: ୪ଟି ସ୍ଥାନରେ ଭାରତ ଚାଇନା ମୁହାଁମୁହିଁ

ଲେହ, ୧୯।୯: ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ପୂର୍ବ ଲଦାଖରେ ପୋଙ୍ଗାଙ୍ଗ ହ୍ରଦ ନିକଟ ବର୍ତ୍ତୀ ଅଞ୍ଚଳରେ ୪ଟି ସ୍ଥାନରେ ଭାରତ ଯବାନ ଏବଂ ଚାଇନା ସୈନ୍ୟ ପରସ୍ପରର ରାଇଫଲ ରେଞ୍ଜ୍‌ ମଧ୍ୟରେ ରହିଛନ୍ତି। ଦୁଇପକ୍ଷଙ୍କ ମଧ୍ୟରେ ଦୂରତା କମ୍‌ ରହିଥିବା କୁହାଯାଉଛି। ପୋଙ୍ଗାଙ୍ଗର ଉତ୍ତରରେ ଥିବା ଫିଙ୍ଗର-୩ ଏବଂ ଫିଙ୍ଗର-୪ ଅଞ୍ଚଳରେ ଦୁଇପକ୍ଷ ସମରସଜ୍ଜା ଆରମ୍ଭ କରିଛନ୍ତି। ଦୁଇପକ୍ଷ ପରସ୍ପରକୁ ଫାଙ୍କା ଗୁଳିଚାଳନା କରି ସତର୍କ ସୂଚନା ମଧ୍ୟ ଦେଇସାରିଛନ୍ତି। ଏଠାରେ ଚାଇନା ଜାଣିଶୁଣି ନିଜର ସୈନ୍ୟ ବାହିନୀ ଏବଂ ଅସ୍ତ୍ରଶସ୍ତ୍ର ଠୁଳ କରିବାରେ ଲାଗିଛି। ପୋଙ୍ଗାଙ୍ଗର ଦକ୍ଷିଣରେ ଥିବା ସ୍ପଙ୍ଗୁର ଗ୍ୟାପ୍‌, ମୁଖପାରି ଏବଂ ରେୟାଙ୍ଗ୍‌ଠାରେ ମଧ୍ୟ ଭାରତୀୟ ଯବାନ ଏଂ ଚାଇନା ସୈନ୍ୟଙ୍କ ମଧ୍ୟରେ ଦୂରତା କମ୍‌ ରହିଛି। ପୋଙ୍ଗଙ୍ଗ ଅଞ୍ଚଳରେ ଚାଇନା ସୈନ୍ୟ ସୀମାର ବାସ୍ତବିକ ସ୍ଥିତିରେ ପରିବର୍ତ୍ତନ ଆଣିବାକୁ ବାରମ୍ବାର ଉଦ୍ୟମ କରୁଥିବାରୁ ଉତ୍ତେଜନା ସୃଷ୍ଟି ହେଉଛି। ଫଳରେ ସୀମା ବିବାଦର ସମାଧାନ ହୋଇ ନ ପାରୁ ନ ଥିବା କୁହାଯାଉଛି।

Share