Advertisement

ନାଏବ ସରପଞ୍ଚ ନିର୍ବାଚନ ବେଳେ ଉତ୍ତେଜନା

ବଲାଙ୍ଗୀର ଅଫିସ/ଦେଓଗାଁ,୧୨ା୩ (ଡି.ଏନ.ଏ.): ଶୁକ୍ରବାର ନାଏବ ସରପଞ୍ଚ ନିର୍ବାଚନ ସମୟରେ ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ସାହାଜବାହାଲ ଏବଂ ବଡ଼ବାହାଲ ଗ୍ରାମ ପଞ୍ଚାୟତରେ ୪ ଜଣ ୱାର୍ଡ ସଭ୍ୟଙ୍କୁ ଅପହରଣ ଅଭିଯୋଗ ହୋଇଛି। ଏହାସହିତ ସାହାଜବାହାଲ ପଞ୍ଚାୟତରେ ଭୋଟବାକ୍ସକୁ କେତେଜଣ ମହିଳା ଛଡ଼ାଇ ନେଇଥିବା ବେଳେ ଦେଷଣ୍ଢ ଗ୍ରାମ ପଞ୍ଚାୟତରେ ଜଣେ ବ୍ୟକ୍ତି ଗ୍ରାମ ପଞ୍ଚାୟତ ଅଫିସରେ ତାଲା ପକାଇ ଦେବାରୁ ଦୀର୍ଘ ସମୟ ଧରି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏନେଇ ନେଇ ଦେଓଗଁା ଥାନାରେ ୨ଟି ପୃଥକ୍‌ ମାମଲା ରୁଜୁ ହୋଇଛି। ନିରୁପମା ମହାନନ୍ଦଙ୍କ ଅଭିଯୋଗକୁ ଭିତ୍ତିକରି ଥାନାରେ ଏକ ମାମଲା (୩୯/୨୦୨୨) ରୁଜୁ ହୋଇଛି। ତାଙ୍କ ଅଭିଯୋଗ ଅନୁସାରେ ୱାର୍ଡସଭ୍ୟ ଯୁଧିଷ୍ଠିର ଡାଙ୍ଗ ଓ ନାରାୟଣ ଭୋଇଙ୍କୁ ଶିବତଲା ହରଗୌରୀ ମନ୍ଦିର ନିକଟରୁ ୪ ଜଣ ବ୍ୟକ୍ତି ଅପହରଣ କରିନେଇଛନ୍ତି। ସେହିପରି ଭୋଟବାକ୍ସ ଛଡ଼ାଇ ନେବା ଘଟଣାରେ ନିର୍ବାଚନ ଅଧିକାରୀ ଶ୍ୟାମମୋହନ ବଢ଼େଇଙ୍କ ଅଭିଯୋଗକୁ ଭିତ୍ତି କରି ଥାନାରେ ଅନ୍ୟ ଏକ ମାମଲା (ନଂ. ୪୦/୨୦୨୨) ରୁଜୁ କରାଯାଇଛି। ଅଭିଯୋଗ ଅନୁସାରେ କେତେଜଣ ମହିଳା ପଞ୍ଚାୟତ କାର୍ଯ୍ୟାଳୟକୁ ପଶି ଭୋଟବାକ୍ସ, ଭୋଟଦେବା ସିଲ୍‌ ଓ ରେଜିଷ୍ଟର ଆଦି ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। କାଳେ ଭୋଟ ହୋଇଯିବ ଭାବି ମହିଳାମାନେ ଏଭଳି କାଣ୍ଡ ଭିଆଇଥିବା ଚର୍ଚ୍ଚାର ବିଷୟ ହୋଇଛି। ତୁଷୁରା ଥାନା ବଡ଼ବାହାଲ ଗ୍ରାମପଞ୍ଚାୟତରେ କୋରମ ଅଭାବ ଏବଂ ଉତ୍ତେଜନା କାରଣରୁ ନାଏକ ସରପଞ୍ଚ ନିର୍ବାଚନକୁ ସ୍ଥଗିତ ରଖାଯାଇଥିବା ନିର୍ବାଚନ ଅଧିକାରୀ ନନ୍ଦିକିଶୋର ସାହୁ ସୂଚନା ଦେଇଛନ୍ତି। ମତଦାନ କକ୍ଷରେ ୧୧ଜଣ ୱାର୍ଡ ସଭ୍ୟ ମଧ୍ୟରୁ ନବନିର୍ବାଚିତ ସରପଞ୍ଚ ଜ୍ୟୋତ୍ସ୍ନାମୟୀ ରଣାଙ୍କ ସମେତ ୫ଜଣ ୱାର୍ଡ ସଭ୍ୟାସଭ୍ୟ ଉପସ୍ଥିତ ଥିଲେ। କେତେଜଣ ସ୍ଥାନୀୟ ବ୍ୟକ୍ତି ହଠାତ୍‌ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗଣ୍ଡଗୋଳ କରିବା ସହ ଜଣେ ୱାର୍ଡ ସଭ୍ୟ ଓ ଜଣେ ୱାର୍ଡ ସଭ୍ୟାଙ୍କୁ ଜବରଦସ୍ତି ଅପହରଣ କରି ନେଇଥିଲେ। ଫଳରେ ଏଠାରେ ନିର୍ବାଚନକୁ ସ୍ଥଗିତ ରଖାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share