ପାକିସ୍ତାନ ସହ ଉତ୍ତେଜନା: ଭାରତର ନିକଟତର ହେବାରେ ଲାଗିଛନ୍ତି ତାଲିବାନ ସରକାର…

କାବୁଲ,୨୧।୧ : ପାକିସ୍ତାନ ଏବଂ ଆଫଗାନିସ୍ତାନର ତାଲିବାନ ସରକାର ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥିତି ସୃଷ୍ଟି ହେବାରେ ଲାଗିଛି। ଆଫଗାନିସ୍ତାନର ତାଲିବାନ ସରକାର ଧୀରେଧୀରେ ଭାରତର ନିକଟତର ହେବାରେ ଲାଗିଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଲିବାନ ସରକାରଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ଼ ହେବାର ଏକ ଉଦାହରଣ ଦେଖିବାକୁ ମିଳିଛି। ୟୁଏଇରେ ଥିବା ଭାରତୀୟ ରାଷ୍ଟ୍ରଦୂତ ତାଲିବାନ ରାଷ୍ଟ୍ରଦୂତଙ୍କୁ ଗଣତନ୍ତ୍ର ଦିବସ ପାଳନ ପାଇଁ ନିମନ୍ତ୍ରଣ କରିଥିବା ସୂଚନା ସାମ୍ନାକୁ ଆସିଛି। ୟୁଏଇରେ ଭାରତର ରାଷ୍ଟ୍ରଦୂତ ସଞ୍ଜୟ ସୁଧୀର ତାଲିବାନ ସରକାରଙ୍କ ରାଷ୍ଟ୍ରଦୂତ ବଦରୁଦ୍ଦିନ ହକାନୀ ଏବଂ ତାଙ୍କ ସ୍ତ୍ରୀଙ୍କୁ ଗଣତନ୍ତ୍ର ଦିବସ ପାଳନ ପାଇଁ ନିମନ୍ତ୍ରଣ ପଠାଇଛନ୍ତି। ଏହି କାର୍ଯ୍ୟକ୍ରମ ଆବୁଧାବିରେ ଅନୁଷ୍ଠିତ ହେବାକୁ ଯାଉଛି, ଯେଉଁଥି ପାଇଁ ଏହି ନିମନ୍ତ୍ରଣ ପଠାଯାଇଛି ।

ଭାରତ ଏବଂ ଆଫଗାନିସ୍ତାନ ତାଲିବାନ ମଧ୍ୟରେ ଥିବା ସମ୍ପର୍କରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ, ଯାହା ଭାରତ ଏବଂ ତାଲିବାନର ଶୀଘ୍ର ନିକଟତର ହେବାକୁ ଦର୍ଶାଉଛି। କେବଳ କାବୁଲରେ ନୁହେଁ ପ୍ରମୁଖ ଆଞ୍ଚଳିକ ରାଜଧାନୀରେ ମଧ୍ୟ ତାଲିବାନ ନେତାଙ୍କ ସହ ଭାରତ ସମ୍ପର୍କ ସ୍ଥାପନ କରିଛି। କିଛି ମାସ ପୂର୍ବେ ନୂଆଦିଲ୍ଲୀରେ ଆଫଗାନିସ୍ତାନର ଦୂତାବାସ ବନ୍ଦ ହେବା ଏବଂ କୂଟନୀତିଜ୍ଞଙ୍କ ପ୍ରତ୍ୟାହାର ପରେ ଏହି ନୂତନ ପଦକ୍ଷେପ ଦୃଶ୍ୟମାନ ହେଉଛି। ଆଫଗାନିସ୍ତାନରେ ଭାରତର ସ୍ବାର୍ଥକୁ ଦୃଷ୍ଟିରେ ରଖି ସରକାର ତାଲିବାନ ସହ ସମ୍ପର୍କକୁ ସୁଦୃଢ଼ କରିବାକୁ ଚାହୁଁଛନ୍ତି।

୨୦୨୧ ମସିହାରେ ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ ପରେ ଆଫଗାନିସ୍ତାନ ସହ ଭାରତର ସମ୍ପର୍କ ଗଭୀର ଭାବରେ ପ୍ରଭାବିତ ହୋଇଥିଲା। ଆଫଗାନିସ୍ତାନରେ ଭାରତକୁ ଏହାର ଅଧିକାଂଶ କାର୍ଯ୍ୟକ୍ରମ ଏବଂ ପ୍ରକଳ୍ପ ବନ୍ଦ କରିବାକୁ ପଡିଲା। ଏଥି ସହିତ ପାକିସ୍ତାନ ଆଫଗାନିସ୍ତାନ ତାଲିବାନ ସହ ଘନିଷ୍ଠତା ସୃଷ୍ଟି କରିଥିଲା। ସାମ୍ପ୍ରତିକ ସମୟରେ ପାକିସ୍ତାନ ଏବଂ ଆଫଗାନିସ୍ତାନ ତାଲିବାନ ମଧ୍ୟରେ ସମ୍ପର୍କ ଖରାପ ହୋଇଯାଇଛି। ଆତଙ୍କବାଦୀ ସଂଗଠନ ତେହେରିକ ତାଲିବାନ ପାକିସ୍ଥାନ (ଟିଟିପି) ଦ୍ୱାରା ପାକିସ୍ତାନ ସହରରେ ହୋଇଥିବା ଆକ୍ରମଣ ଯୋଗୁଁ ପାକିସ୍ତାନ ଏବଂ ଆଫଗାନିସ୍ତାନ ସରକାରଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ଆଫଗାନିସ୍ତାନରେ ଟିଟିପିର ଆଶ୍ରୟ ନେବାକୁ ନେଇ ପାକିସ୍ତାନର କ୍ରୋଧିତ ହୋଇଛି। ସାଂପ୍ରତିକ ସମୟରେ ଦୁଇ ଦେଶ ମଧ୍ୟରେ ଏହି ତିକ୍ତତା ବହୁତ ବୃଦ୍ଧି ପାଇଛି ଏବଂ ସୀମାରେ ଟ୍ରକକୁ ଅଟକାଇବା ପରି ଘଟଣା ମଧ୍ୟ ଘଟିବାରେ ଲାଗିଛି। ଉଭୟ ପକ୍ଷରୁ ମଧ୍ୟ ଏନେଇ କଡା ବିବୃତ୍ତି ଜାରି କରାଯାଇଛି। ଏସବୁ ମଧ୍ୟରେ ତାଲିବାନର ଭାରତ ସହ ସମ୍ପର୍କରେ ଉନ୍ନତି ଆସିଛି।

Share