ଦଶମ ବୋର୍ଡ ପରୀକ୍ଷା ବାତିଲ

ଭୁବନେଶ୍ୱର,୨୧।୪(ବ୍ୟୁରୋ): ମାଟ୍ରିକ‌ ପରୀକ୍ଷା ନେଇ ରାଜ୍ୟ ସରକାର ବୁଧବାର ବଡ଼ ଘୋଷଣା କରିଛନ୍ତି। ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଶେଷରେ ବନ୍ଦ କରିବାକୁ ଗଣ ଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ସୂଚନା ଦେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି, ଏବେ ରାଜ୍ୟରେ କରୋନା ମହାମାରୀ ପିକ୍‌ରେ ଥିବା ବେଳେ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପକ୍ଷରୁ ଆସନ୍ତା ମାସ ୩ ତାରିଖରେ ହେବାକୁ ଥିବା ଦଶମ ଶ୍ରେଣୀ ପରୀକ୍ଷା ବାତିଲ ନେଇ ନିଷ୍ପତ୍ତି ନିଆଯାଇଛି। ଗ୍ରେଡେଶନ ବା ମାର୍କିଂ କିପରି ହେବ ତାହା ବୋର୍ଡ ନିର୍ଦ୍ଧାରିତ କରିବ।
ଅନ୍ୟପକ୍ଷେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ରାଜ୍ୟ ମଦ୍ରାସା ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ପରୀକ୍ଷାଗୁଡ଼ିକୁ ମଧ୍ୟ ବାତିଲ କରାଯାଇଛି। ଏହି ବୋର୍ଡଗୁଡିକ ଦ୍ୱାରା ନିର୍ଦ୍ଧାରିତ ପଦ୍ଧତି ଅନୁଯାୟୀ, ଛାତ୍ରୀଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶିତ ହେବ। ଯେଉଁମାନେ ଅସହମତି ପ୍ରକାଶ କରିବେ, କୋଭିଡ ମହାମାରୀ ପ୍ରଶମିତ ହେବା ପରେ ବୋର୍ଡମାନଙ୍କ ଦ୍ୱାରା ନିର୍ଦ୍ଧାରିତ ଦିନରେ ପରୀକ୍ଷା ଦେଇପାରିବେ।
ସୂଚନାଯୋଗ୍ୟ, ପରୀକ୍ଷା ବାତିଲ ଦାବିରେ ମଙ୍ଗଳବାର ନବୀନ ନିବାସ ଆଗରେ ବହୁ ଛାତ୍ରୀଛାତ୍ର ଧାରଣା ଦେଇଥିଲେ । ବୁଧବାର ମଧ୍ୟ ମୟୂରଭଞ୍ଜ ଜିଲାପାଳଙ୍କ ବାସଭବନ ଆଗରେ ଦଶମ ଛାତ୍ରୀଛାତ୍ର  ଧାରଣା ଦେଇଥିଲେ।

Share