Categories: ରାଜ୍ୟ

ବଢ଼ିଲା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ

ଭୁବନେଶ୍ୱର,୨୯ା୧୨: ଓଡ଼ିଶାର ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ୬ ମାସ ବଢିଛି। ଡିସେମ୍ବର ୩୧ ତାରିଖରେ ତାଙ୍କର କାର୍ଯ୍ୟକାଳ ଶେଷ ହେଉଥିଲା ବେଳେ ୧ ଜାନୁୟାରୀ ୨୦୨୪ରୁ ଜୁନ ୩୦ ୨୦୨୪ ପର୍ଯ୍ୟନ୍ତ ରାଜ୍ୟ ସରକାର ତାଙ୍କର କାର୍ଯ୍ୟକାଳ ବୃଦ୍ଧି କାରାଯାଇଛି।

୧୯୮୯ ବ୍ୟାଚ୍‌ ଓଡ଼ିଶା ଆଇଏଏସ୍‌ ଅଧିକାରୀ ପ୍ରଦୀପ କୁମାର ଜେନା ଚଳିତ ବର୍ଷ ମାର୍ଚ୍ଚ ୧ ତାରିଖରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ଜେନା ବର୍ତ୍ତମାନ ରାଜ୍ୟର ୪୫ତମ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ ପୂର୍ବରୁ ମୁଖ୍ୟ ସଚିବ ଥିବା ସୁରେଶ ଚନ୍ଦ୍ର ମହାପାତ୍ରଙ୍କର କାର୍ଯ୍ୟକାଳ ଶେଷ ହେବା ପରେ ରାଜ୍ୟ ସରକାର ଦୁଇ ଥରରେ ୧ବର୍ଷ ପାଇଁ ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରିଥିଲେ।

ପୂର୍ବରୁ ପ୍ରଦୀପ ଜେନା ଉନ୍ନୟନ କମିସନର ଓ ୨୦୧୭ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭଳି ଦାୟିତ୍ୱ ତୁଲାଇଛନ୍ତି। ୧୯୯୧ ମସିହାରେ ପ୍ରଥମେ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ର ଉପଜିଲ୍ଲାପାଳ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ପରେ ସେଠାରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଓ ଜିଲ୍ଲାପାଳ ଭାବେ ଦାୟିତ୍ବ ତୁଲାଇଥିଲେ। ପରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଭାବେ ତାଙ୍କୁ ବଦଳି କରାଯାଇଥିଲା ।

୧୯୯୯ ମସିହାର ମହାବାତ୍ୟା ସମୟରେ ସେ କଟକ ଜିଲ୍ଲାପାଳ ଭାବେ ଅବସ୍ଥାପିତ ହୋଇଥିଲେ। ମହାବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟକୁ ସୁଚାରୁରୂପେ ତୁଲାଇ ଥିବାରୁ ପ୍ରଦୀପ ଜେନା ରାଜ୍ୟ ଓ ଜାତୀୟ ସ୍ତରରେ ଉଚ୍ଚପ୍ରଶଂସିତ ହୋଇଥିଲେ । ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଓ ଲୋକାଭିମୁଖୀ କାର୍ଯ୍ୟ କରିବାରେ ତାଙ୍କର ବହୁ ସୁନାମ ରହିଛି । ସେହିପରି କୋଭିଡ୍‌ ମହାମାରୀ ସମୟରେ ସାରା ରାଜ୍ୟ ସଂଗ୍ରାମ କରୁଥିବାବେଳେ ସ୍ବତନ୍ତ୍ର ରିଲିଫ୍‌ କମିସନର ପଦରେ ରହି ପ୍ରଦୀପ କୁମାର ଜେନା ଗୁରୁଦାୟିତ୍ବ ତୁଲାଇଥିଲେ ।

Share