କେନ୍ଦୁଝର, ୨୦।୫ (ସ୍ବ.ପ୍ର.)-କରୋନା ମହାମାରୀ ପାଇଁ ଦୁଇ ବର୍ଷ ହେଲା ବିକ୍ରିବଟା କରି ନ ପାରି ପ୍ରସ୍ତୁତ ସାମଗ୍ରୀ ଧରି ବସିଛନ୍ତି ଟେରାକୋଟା ଶିଳ୍ପୀ ତଥା ପ୍ରଶିକ୍ଷକ ଗୌରଚନ୍ଦ୍ର ବେହେରା। ରାଜଧାନୀ ତଥା ଅନ୍ୟ ଅଞ୍ଚଳରେ ମେଳା ବା ପ୍ରଦର୍ଶନୀ ପାଇଁ ଭୁବନେଶ୍ୱର ଯାଇ ପାରିଲୁ ନାହିଁ। ଏଣୁ ପୂର୍ବ ବର୍ଷ ଭଳି ସେସବୁ ପ୍ରସ୍ତୁତ ସାମଗ୍ରୀ ବିକ୍ରି କରିବେ ଓ କିଛି ଉପାର୍ଜନ କରିବାକୁ ଆଶା ରଖିଥିବା ଆଶା ମଉଳିଯାଇଛି ା କିନ୍ତୁ ଗତ ବର୍ଷ କରୋନା ମହାମାରୀ ଦାଉ ସାଜିଲା। ଶେଷ ବେଳକୁ ପରିସ୍ଥିତି ସୁଧୁରିବା ଆଶା ରଖିଥିଲେ। କିନ୍ତୁ ପୁଣି ଦ୍ୱିତୀୟ ଲହର କରୋନା କଟକଣା ଯୋଗୁ ଚଳିତବର୍ଷ ମଧ୍ୟ ସବୁ ବନ୍ଦ ହୋଇଗଲା। ବହୁ ଅର୍ଥ ଖର୍ଚ୍ଚ କରି ମନଲଗାଇ ଏବଂ ପରିଶ୍ରମ କରି ବିଭିନ୍ନ ପ୍ରକାରର ରଙ୍ଗବେରଙ୍ଗ ସାମଗ୍ରୀ ତିଆରି କରିଥିଲି। ଘରେ ସାଇତି ରଖିବାକୁ ସ୍ଥାନ ନାହିଁ। କିନ୍ତୁ ଏବେ ପ୍ରସ୍ତୁତ ସାମଗ୍ରୀ ଖରାପ ହୋଇ ଭାଙ୍ଗି ଗଲାଣି ବୋଲି କହିଛନ୍ତି ଗୌରଚନ୍ଦ୍ର (୬୫)।
ପରିଣତ ବୟସରେ ମଧ୍ୟ ନିଜର କୌଳିକବୃତ୍ତି ହାଣ୍ଡିକଳସୀ କାମ ତଥା ପରବର୍ତ୍ତୀ ସମୟରେ ତାଲିମ ନେଇ ଶିଖିଥିବା ଟେରାକୋଟା କଳାକୁ ଛାଡି ପାରୁନଥିବା ଗୌରହରି ଭଳି ଅନେକ କାରିଗର କରୋନା ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି। ସଦର ବ୍ଲକ ଟିକର ପଡା ଗ୍ରାମରେ ଗୌରହରିଙ୍କ ଘର। ଷଷ୍ଠ ଯାଏ ପାଠ ପଢା ଛାଡିଦେଇ ପରିବାରର କୌଳିକ ବୃତ୍ତି ମାଟି କାମ କରିଆସୁଥିଲେ ହେଁ ୧୯୮୦ ମସିହାରୁ ଶିଳ୍ପୀ ଭାବରେ ମାଟି କାମ କରିଆସୁଛନ୍ତି। ପରବର୍ତ୍ତୀ ସମୟରେ ୧୯୮୫ରୁ ଟେରାକୋଟା କାମ କରିଆସୁଛନ୍ତି। ନିଜେ ବିଭିନ୍ନ ରଙ୍ଗବେରଙ୍ଗ ସାମଗ୍ରୀ ବିକିବା ସହ ବିଭିନ୍ନ ସ୍ଥାନ ଯାଇ ଆଗ୍ରହୀ ଶିଳ୍ପୀ ମାନଙ୍କୁ ତାଲିମ ଦେଇଆସୁଛନ୍ତି ା ତେବେ ଏହି ବୟସରେ ମଧ୍ୟ ସେ ଥକିଯାଇନାହାନ୍ତି ବୋଲି କୁହନ୍ତି। ସରକାରଙ୍କ ତରଫରୁ ସେଭଳି ପ୍ରୋତ୍ସାହନ ମୂଳକ ସହାୟତା କିମ୍ବା ସହଯୋଗ ପାଇପାରିନାହାନ୍ତି। ତିନି ପୁଅ। ସ୍ତ୍ରୀ ସୁଲୋଚନା ଘରେ ରହି ତାଙ୍କୁ ସହାୟତା କରନ୍ତି। ବିଭିନ୍ନ ପ୍ରକାରର ସୋ ମାଟି ସାମଗ୍ରି, ହାଣ୍ଡ. ଫୁଲଦାନୀ, କଇଁଛ, ରାଧାକୃଷ୍ନ, ଶିବ, ଲକ୍ଷ୍ମୀ, ଗଣେଷ ଆଦି ମୂର୍ତି, ମ୍ୟୁଜିକସେଟ, ଚିତ୍ରପଟ୍ଟ ଆଦି ତିଆରି କରିବା ସହ ଦୀପାବଳୀ ସମୟରେ ବିଭିନ୍ନ ପ୍ରକାରର ରଙ୍ଗବେରଙ୍ଗ ଦୀପ ତିଆରି କରି ବିକିଆସୁଛନ୍ତି। ତେବେ ବଜାରର ଅଭାବ ଯୋଗୁ ଏଣେ ତେଣେ ବୁଲି ବିକିବାକୁ ପଡେ ା ଏସବୁ ସୌଖୀନ ସାମଗ୍ରୀ ଲୋକାଲ ଏରିଆରେ ବିକ୍ରି ହେଉ ନାହିଁ। ଏଣୁ ମେଳା, ପ୍ରଦର୍ଶନୀ ଉପରେ ନିର୍ଭର କରିବାକୁ ପଡିଥାଏ ା ଏପରିକି ଜିଲା ମୁଖ୍ୟାଳୟରେ ଏହି ସବୁ ର ବିକ୍ରିବଟା କରିବା ସହ ଶିଳ୍ପୀ ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସ୍ବତନ୍ତ୍ର ଦୋକାନ ବ୍ୟବସ୍ଥା ମଧ୍ୟ ନାହିଁ। ଉକ୍ତ ଗ୍ରାମରେ ୧୪୦ ପରିବାର ମଧ୍ୟରୁ ପାଖାପାଖି ୪୦ ଘର ସାଧାରଣ ମାଟି ହାଣ୍ଡି, କଳସୀ ଆଦି କାମ କରୁଥିବା ବେଳେ ତାଙ୍କ ପରିବାର ଟେରାକୋଟା କାମ କରୁଛନ୍ତି। ଜିଲାର ବିଭିନ୍ନ ସ୍ଥାନରେ ଏଭଳି ଟେରାକୋଟା କାମ କରୁଥିଲେ ହେଁ ଏବେ କରନା ସମୟରେ ହାତବାନ୍ଧି ଦୁଃଖ ଦୁର୍ଦ୍ଦଶାରେ କାରିଗରମାନେ ବସିଛନ୍ତି।