ପ୍ରଳୟଙ୍କରୀ ଭୂମିକମ୍ପ

ନିକଟରେ ବିଶ୍ୱର ବିଭିନ୍ନ ସ୍ଥାନରେ ଭୂମିକମ୍ପ ଅନୁଭୂତ ହେଉଛି। ମଧ୍ୟପ୍ରାଚ୍ୟ ଭୂଖଣ୍ଡ ତୁର୍କୀ-ସିରିଆର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ବଡ଼ଧରଣର ପ୍ରଳୟଙ୍କରୀ ଭୂମିକମ୍ପ ଅନୁଭୂତ ହୋଇଯାଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୭.୮। ଏହି ଭୂମିକମ୍ପର ପ୍ରଭାବ ପଡୋଶୀ ରାଷ୍ଟ୍ର ଲେବାନନ୍‌ ଓ ଇସ୍ରାଏଲ ଯାଏ ମଧ୍ୟ ଦେଖିବାକୁ ମିଳିଥିଲା। ଏହା ତୁର୍କୀରେ ବିଗତ ଶହେ ବର୍ଷ ମଧ୍ୟରେ ଅନୁଭୂତ ସବୁଠାରୁ ଶକ୍ତିଶାଳୀ ଭୂମିକମ୍ପ ଥିଲା। ପୃଥିବୀରେ ଏଭଳି ଉଚ୍ଚ ତୀବ୍ରତର ଭୂମିକମ୍ପ ଅତି ବିରଳ, ଯାହା ବର୍ଷକୁ ସାଧାରଣତଃ ପାଞ୍ଚରୁ କମ୍‌ ଥର ସଂଘଟିତ ହୋଇଥାଏ। ତୁର୍କୀରେ ବିଗତ ୨୫ ବର୍ଷ ମଧ୍ୟରେ ୭ କିମ୍ବା ଅଧିକ ତୀବ୍ରତାର ସମୁଦାୟ ସାତୋଟି ଭୂମିକମ୍ପ ଅନୁଭୂତ ହୋଇ ସାରିଛି।
ରିକ୍ଟର ସ୍କେଲ୍‌ କ’ଣ : ଭୂମିକମ୍ପର ତୀବ୍ରତାକୁ ସାଧାରଣତଃ ରିକ୍ଟର୍‌ ସ୍କେଲ୍‌ ଏକକରେ ମପାଯାଏ। ଏହି ସ୍କେଲରେ ୪ ଅଙ୍କରୁ ଊର୍ଦ୍ଧ୍ୱ ଭୂମିକମ୍ପ ସାଧାରଣତଃ ଧନଜୀବନ ପ୍ରତି ବିନାଶକାରୀ ହୋଇଥାଏ। ଭୂମିକମ୍ପର ତୀବ୍ରତା ୪ ରୁ ୪.୯ ଅଙ୍କ ମଧ୍ୟରେ ରହିଲେ ଘରର ଝରକାର କାଚ ଭାଙ୍ଗିଯାଇପାରେ ଏବଂ କାନ୍ଥରେ ଟଙ୍ଗା ଯାଇଥିବା ଫଟୋଫ୍ରେମ୍‌ ତଳେ ଖସି ପଡ଼ିପାରେ। ଭୂମିକମ୍ପର ତୀବ୍ରତା ୫ ରୁ ୫.୯ ଅଙ୍କ ମଧ୍ୟରେ ରହିଲେ ଘରର ଟେବୁଲ ଚଉକି ଭଳି ଭାରି ଆସବାବପତ୍ର ହଲି ଯାଇପାରେ। ଭୂମିକମ୍ପର ତୀବ୍ରତା ୬ ରୁ ୬.୯ ଅଙ୍କ ମଧ୍ୟରେ ରହିଲେ କୌଣସି ବହୁତଳୀୟ ଅଟ୍ଟାଳିକାର ଭିତ୍ତି ହଲି ଯାଇପାରେ ଏବଂ ଉପର ମହଲା ଘର ବିଶେଷ କ୍ଷତିଗ୍ରସ୍ତ ହୋଇପାରେ। ଭୂମିକମ୍ପର ତୀବ୍ରତା ୭ ରୁ ୭.୯ ଅଙ୍କ ମଧ୍ୟରେ ରହିଲେ ବହୁତଳୀୟ ଅଟ୍ଟାଳିକା ସମ୍ପୂର୍ଣ୍ଣ ଭଶୁଡି ପଡିପାରେ ଏବଂ ଭୂତଳ ପାଣି ପାଇପ୍‌ ଫାଟି ଯାଇପାରେ। ଭୂମିକମ୍ପର ତୀବ୍ରତା ୮ ରୁ ୮.୯ ଅଙ୍କ ମଧ୍ୟରେ ରହିଲେ ବଡ଼ ବଡ଼ ପୋଲ ମଧ୍ୟ ଭାଙ୍ଗିଯାଇପାରେ। ଭୂମିକମ୍ପର ତୀବ୍ରତା ୯.୦ ଅଙ୍କରୁ ଅଧିକ ହେଲେ ସମସ୍ତ ନର୍ମାଣ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଏ। ଏଭଳି ପରିସ୍ଥିତିରେ କୌଣସି ଖୋଲା ସ୍ଥାନରେ ଛିଡା ହେଲେ ଭୂମିରେ ସମୁଦ୍ର ଭଳି ଲହଡିମାନ ତରଙ୍ଗାୟିତ ହେଉ ଥିବାର ଦେଖାଯାଏ ଏବଂ ସମୁଦ୍ରରେ ସୁନାମି ଭଳି ଉଚ୍ଚା ଉଚ୍ଚା ଲହଡିମାନ ସଷ୍ଟି ହୋଇ ସ୍ଥଳଭାଗରେ ପ୍ରଳୟ ରଚନା କରେ।
ବିଶ୍ୱର ପ୍ରଳୟଙ୍କରୀ ଭୂମିକମ୍ପ : ପୃଥିବୀରେ ପ୍ରତି ବର୍ଷ ପ୍ରାୟ ୫ ଲକ୍ଷ ଭୂମିକମ୍ପ ଅନୁଭୂତ ହୋଇଥାଏ। ଏଥିମଧ୍ୟରୁ ଆମେ କେବଳ ୧ ଲକ୍ଷ ଭୂମିକମ୍ପକୁ ଅନୁଭବ କରିପାରୁ। ପ୍ରାୟ ୧୦୦ଟି ଭୂମିକମ୍ପ ବିନାଶକାରୀ ହୋଇଥାଏ। ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଭୂମିକମ୍ପ ୧୯୬୦ ମସିହାରେ ଚିଲିରେ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ଥିଲ ୯.୫। ଆମ ଦେଶରେ ସବୁଠାରୁ ପ୍ରଳୟଙ୍କରୀ ଭୂମିକମ୍ପ ୧୯୩୪ ମସିହାରେ ବିହାରରେ ଅନୁଭୂତ ହୋଇଥିଲା, ଯେଉଁଥିରେ ପ୍ରାୟ ୩୦, ୦୦୦ ଲୋକ ମତ୍ୟୁମୁଖରେ ପଡ଼ିଥିଲେ। ରିକ୍ଟର ସ୍କେଲ୍‌ରେ ଏହର ତୀବ୍ରତା ଥିଲ ୮.୧। ଗତ ୧୮୧୧ ମସିହାରେ ଉତ୍ତର ଆମେରିକାରେ ଏଭଳି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା ଯେ ଏହାର ପ୍ରଭାବରେ ମିସିସିପି ନଦୀ ଓଲଟା ବହିବାକୁ ଲାଗିଥିଲା। ଭୂମିକମ୍ପ ପ୍ରଭାବରେ ସବୁଠାରୁ ବିପଜ୍ଜନକ ହିମସ୍ଖଳନ ୧୯୭୦ ମସିହାରେ ପେରୁରେ ଦେଖା ଯାଇଥିଲା, ଯାହା ଘଣ୍ଟା ପ୍ରତି ୪୦୦ କି.ମି. ଭଳି ଦୂରନ୍ତ ବେଗରେ ଗତି କରିଥିଲା। ଭୂମିକମ୍ପ ପ୍ରଭାବରେ ସବୁଠାରୁ ଭୟଙ୍କର ହିମସ୍ଖଳନ ୧୯୨୦ ମସିହାରେ ଚାଇନାର କାଂସୁ ପ୍ରଦେଶରେ ଘଟିଥିଲା, ଯେଉଁଥିରେ ପ୍ରାୟ ୨ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥିଲା।
କାରଣ : ଆମର ପୃଥିବୀପୃଷ୍ଠ ଅନେକ ସୁଦୃଢ଼ ପ୍ଲେଟ୍‌ ଉପରେ ପର୍ଯ୍ୟବସିତ, ଯାହାକୁ ଟେକ୍‌ଟୋନିକ ପ୍ଲେଟ୍‌ କୁହଯାଏ। ଏହି ପ୍ଲେଟ୍‌ଗୁଡ଼ିକ ସଦାସର୍ବଦା ଗତିଶୀଳ। ଅବଶ୍ୟ ଏହି ପ୍ଲେଟ୍‌ଗୁଡିକର ଗତି ଅତି ସ୍ବଳ୍ପ ଏବଂ ବର୍ଷକୁ ମାତ୍ର ୪ ସେ.ମି.। ଏହି ଚଳନ ଯୋଗୁ ବେଳେବେଳେ ପ୍ଲେଟ୍‌ଗୁଡିକ ମଧ୍ୟରେ ସଂଘର୍ଷ ଘଟେ ଏବଂ ଗୋଟିଏ ପ୍ଲେଟ୍‌ ଅନ୍ୟ ପ୍ଲେଟ୍‌ ଉପରେ ପ୍ରଚଣ୍ଡ ପାର୍ଶ୍ୱଚାପ ପ୍ରୟୋଗ କରେ। ଏହି ଚାପ ଅତ୍ୟଧିକ ହେବାରୁ ଗୋଟିଏ ପ୍ଲେଟ୍‌ ଅନ୍ୟ ପ୍ଲେଟ୍‌ ଉପରେ ଚଢ଼ିଯାଏ। ଏହି ଅଞ୍ଚଳରେ ହିଁ ପୃଥିବୀପୃଷ୍ଠ ଦୋହଲି ଉଠି ଭୂମିକମ୍ପ ସୃଷ୍ଟି ହୁଏ। ସୁତରାଂ ପ୍ଲେଟ୍‌ଗୁଡ଼ିକର ଦୁର୍ବଳ ପ୍ରାନ୍ତ ଭାଗ ଅତ୍ୟନ୍ତ ଭୂମିକମ୍ପପ୍ରବଣ ହୋଇଥାଏ।
ବନ୍ୟା ବାତ୍ୟା ଭଳି ଭୂମିକମ୍ପର ପୂର୍ବାନୁମାନ ନିମନ୍ତେ ଏବେ ସୁଦ୍ଧା କୌଣସି ଠିକ୍‌ ଓ ନିର୍ଭରଯୋଗ୍ୟ ପଦ୍ଧତି ବିକଶିତ ହୋଇପାରି ନାହିଁ।

ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ୍‌ ଅଫିସର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ
ମୋ : ୮୦୧୮୭୦୮୮୫୮