Advertisement

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୧୮ ବଖରା

ଆଠମଲ୍ଲିକ,୧୦ା୬(ଡି.ଏନ.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅଏଡା ପଞ୍ଚାୟତ ଓଳଥ ଗ୍ରାମରେ ଶୁକ୍ରବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ବିଦ୍ୟୁତ୍‌ ଶର୍ଟସର୍କିଟ ଯୋଗୁ ୧୩ ପରିବାରର ୧୮ ବଖରା ପୋଡ଼ି ପାଉଁଶ ହୋଇଯାଇଛି। ଖବରପାଇ ଆଠମଲ୍ଲିକ ଅଗ୍ନିଶମ କେନ୍ଦ୍ରର ୨ଟି ଗାଡ଼ି ସହ ଅଧିକାରୀ ଅରୁଣ ନାୟକ ଓ ୮ ଜଣ କର୍ମଚାରୀ ଏବଂ ଚାରିଛକ ଅଗ୍ନିଶମ ବାହିନୀର ଗୋଟିଏ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ ୧୩ ପରିବାରର ସମସ୍ତ ଆସବାବପତ୍ର, ଧାନ, ଚାଉଳ, ଟଙ୍କା ଆଦି ପୋଡ଼ି ପାଉଁଶ ହୋଇଯାଇଥିଲା। ଏହି ଅଗ୍ନିକାଣ୍ଡରେ ଗ୍ରାମର ରବୀନ୍ଦ୍ର ମାହାର, ଦିବାକର ମାହାର, ପ୍ରମୋଦ ବାଘ, ଶଙ୍କର ବାଘ, ମୁରଲୀ ବାଘ, ପ୍ରଦୀପ ବାଘ, କୃଷ୍ଣଚନ୍ଦ୍ର ମହାକୁଡ଼, ଅଭିମନ୍ୟୁ ମହାକୁଡ଼, କୃପାସିନ୍ଧୁ ମହାକୁଡ଼, ମିଥିଳା ପ୍ରଧାନ, ରବୀନ୍ଦ୍ର ମହାକୁଡ଼, ନୀଳାମ୍ବର ମାହାର, ମଲ୍କି ବାଘ ସର୍ବସ୍ବାନ୍ତ ହୋଇଯାଇଛନ୍ତି। ଖବରପାଇ ଆଠମଲ୍ଲିକ ଉପଜିଲାପାଳ ତରଣୀ ସୁନା, ତହସିଲଦାର ଯଶୋବନ୍ତ ଦେହୁରୀ, ସହକାରୀ ଜିଲାପାଳ ସୁଜିତ କୁମାର ଭୋଇ, ଅଏଡା ରାଜସ୍ବ ନିରୀକ୍ଷକ ଅମରନାଥ ଦେହୁରୀ ପ୍ରମୁଖ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହ କ୍ଷୟକ୍ଷତି ଆକଳନ କରିଥିଲେ। ପ୍ରଶାସନ ପକ୍ଷରୁ କ୍ଷତିଗ୍ରସ୍ତ ପରିବାରକୁ ପଲିଥିନ ପ୍ରଦାନ କରାଯାଇଥିଲା। ଏଥିରେ ଆନୁମାନିକ ୧୪ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଅଏଡା ସରପଞ୍ଚ ସୁବାସିନୀ ସେଠୀ ପହଞ୍ଚି ରନ୍ଧା ଖାଦ୍ୟ ବ୍ୟବସ୍ଥା କରିବା ସହିତ ବିପନ୍ନଙ୍କୁ ଆବାସ ଯୋଜନା ଯୋଗାଇ ଦେବାକୁ ଦାବି କରିଥିଲେ। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଥିବାରୁ ତୁରନ୍ତ ପ୍ରଶାସନ ପକ୍ଷରୁ ବିପନ୍ନଙ୍କ ଥଇଥାନ ବ୍ୟବସ୍ଥା ଓ ୨୦ ଦିନ ପାଇଁ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ ଓ ପିଇବା ପାଣି ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି l

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share