ଭୟାବହ ଅଗ୍ନିକାଣ୍ଡ: ୨୦ ମେଣ୍ଢା ଜୀବନ୍ତ ଦଗ୍ଧ

ଅନୁଗୋଳ ଅଫିସ୍‌/ବନ୍ତଳା,୧୧।୨(ଡି.ଏନ୍‌ଏ):ଅନୁଗୋଳ ଜିଲା ବନ୍ତଳା ଥାନା ସଙ୍ଖପୁର ପଞ୍ଚାୟତ ଖାଲଙ୍ଗାରେ ବୁଧବାର ମଧ୍ୟରାତ୍ରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଖବର ପାଇ ଅନୁଗୋଳର ଦୁଇଟି ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଛନ୍ତି। ତେବେ ନିଆଁରେ ସବୁକିଛି ଜାଳିପୋଡ଼ି ପାଉଁଶ ହୋଇ ଯାଇଛି। ଏଥିରେ ଗ୍ରାମର ପଞ୍ଚୁ ବିଶ୍ୱାଳ (୬୦) ଙ୍କର ୧୨ ବଖରା ଘର ସହିତ ୨୦ଟି ମେଣ୍ଢା ଜୀବନ୍ତ ଦଗ୍ଧ , ୨୫୦ ବସ୍ତା ଧାନ, ୧୦ କୁଇଣ୍ଟାଲ ଚାଉଳ, ହରଡ଼, ମୁଗ, ବିରି , ଟଙ୍କା, ସୁନା ଓ ଘରର ସମସ୍ତ ଆସବା ପତ୍ର ପୋଡି ପାଉଁଶ ହୋଇ ଯାଇଛି। ସେହିପରି ଈଶ୍ୱର ସାହୁଙ୍କର ଛଅ ବଖରା ଘର ସହିତ ୨୫ଟି ମେଣ୍ଢା, ଗୋଟିଏ ଗାଈ ଜୀବନ୍ତ ଦଗ୍ଧ ହେବା ସହିତ ଗୋଟିଏ ମଟର ସାଇକେଲ, ତିନୋଟି ପାଣିପମ୍ପ, ୫୦ ବସ୍ତା ଧାନ, ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି। ସେହିପରି ଶିଶିର ବିଶ୍ୱାଳଙ୍କର ଗୋଟିଏ ବଖରା ଘର ପୋଡି ଯାଇଛି। ଘର କିପରି ପୋଡିଲା ତାହାର କାରଣ ଜଣା ପଡିନାହିଁ। ତେବେ ଘର ପୋଡିବା ସମୟରେ ମଟର ସାଇକେଲରେ ନିଆଁ ଲାଗିବାରୁ ଟାଙ୍କି ଫାଟି ବିସ୍ଫୋରଣ ହୋଇଥିଲା। ଫଳରେ ନିଆଁ ଲିଭାଇବା କଷ୍ଟ ହୋଇ ପଡିଥିଲା। ଚାଷରୁ ଯାହା ରୋଜଗାର କରି ଗଛିତ ରଖାଯାଇଥିଲା ସେସବୁ ନିମିଷେ ପୋଡି ପାଉଁଶ ହୋଇଯାଇଛି। ଏଥିରେ ପଞ୍ଚୁ ପୋଡିହୋଇ ଗୁରୁତର ହେବା ସହିତ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏଥିରେ ପ୍ରାୟ ୩୦ ଲକ୍ଷରୁ ଉଦ୍ଧର୍‌ବ ତାଙ୍କର ସମ୍ପତି ପୋଡି ଯାଇଛି। ବିପନ୍ନ ମାନେ ଏବେ ଖୋଲା ଆକାଶରେ ରହିଛନ୍ତି।

 

Share