Advertisement

ଆଳିସ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୨୦ ବଖରା ଘର, ୩ ବାଇକ୍‌

ସାକ୍ଷୀଗୋପାଳ,୨୭।୮(କିଶୋର ମହାପାତ୍ର/ପ୍ରଶାନ୍ତ ବାରିକ): ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅଧୀନ ଆଳିସ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୨ଟି ପରିବାରର ୨୦ ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି।

ନିଆଁ ଲିଭାଇବା ବେଳେ ଗୁଣନିଧି ବିଶ୍ୱାଳ ଆହତ ହୋଇଛନ୍ତି। ଏପରିକି ଅଗ୍ନିକାଣ୍ଡରେ ୩ଟି ବାଇକ୍‌, ଧାନ, ଚାଉଳ, ସହିତ ଆସବାବପତ୍ର ପୋଡ଼ି ଭଷ୍ମ ହୋଇଯାଇଛି। ଏଥିରେ ୪ଟି ଗୋରୁ ଆହତ ହୋଇଛନ୍ତି।

ମିଳିଥିବା ସୂଚନା ମୁତାବକ, ପରିଶ୍ରା କରିବାକୁ ଉଠିଥିବା ଜଣେ ମହିଳା ଘରେ ନିଆଁ ଲାଗିଥିବା ଦେଖି ହୋହାଲ୍ଲା କରିଥିଲେ। ଗ୍ରାମବାସୀ ଉଠିବା ବେଳକୁ ଅର୍ଦ୍ଧାଧିକ ଘରେ ନିଆଁ ଲାଗି ଜଳୁଥିଲା। ଫଳରେ ଘରରୁ ଜିନିଷ ବାହାର କରିବା ସମ୍ଭବ ହୋଇ ନ ଥିଲା। ଖବରପାଇ ସତ୍ୟବାଦୀ ଅଗ୍ନିଶମ ଅଧିକାରୀ ମନୋଜ ପାତ୍ର ଦୁଇଟି ଦମକଳ ବାହିନୀ ସହ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ଅଗ୍ନିକାଣ୍ଡରେ ଏକାଧିକ ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି ବୋଲି ଜିଲା ପରିଷଦ ସଭ୍ୟ ନାରାୟଣ ପ୍ରଧାନ, ଆଳିସ ସରପଞ୍ଚ ସୁରଥ ଚନ୍ଦ୍ର ସେଠୀ, ସମିତି ସଭ୍ୟ କପିଳ ସ୍ବାଇଁ ପ୍ରମୁଖ କହିଛନ୍ତି। ସେମାନଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଦାବି କରାଯାଇଛି।

ଅଗ୍ନିକାଣ୍ଡରେ ଗୁଣନିଧି ବିଶ୍ୱାଶାଳ, ଚନ୍ଦ୍ରମଣି ସାହୁ, କଂଗ୍ରେସ ବିଶ୍ୱାଳ, ମହେନ୍ଦ୍ର ବେହେରା, ବୁଲି ବେହେରା, ଅଲି ବେହେରା, ପଠାଣି େହେରା, ସତ୍ୟଭାମା ବିଶ୍ବାଳ, ଅମିନ ବେହେରା, ପ୍ରସନ୍ନ ସାହୁ ଓ ଚନ୍ଦ୍ରମଣି ସାହୁଙ୍କ ଘର ପୋଡ଼ି ଯାଇଛି। ସେହିପରି ପୁର୍ବତନ ସରପଞ୍ଚ ଶ୍ରୀଧର ବିଶ୍ୱାଳ କ୍ଷତିଗ୍ରସ୍ତ ପରିବାରଙ୍କୁ ଆବାସ ଯୋଜନାରେ ପକ୍କାଘର, ରାଶନ ସାମଗ୍ରୀ ଓ ଲୁଗାପଟା ଆଦି ଯୋଗାଇ ଦେବାକୁ ଦାବି କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share