କାନ୍ଥରୁ ଶୁଭୁଛି ଭୟଙ୍କର ଶବ୍ଦ: ପୋଲିସ ଟିମ୍‌ ବି ଅସଫଳ

ଲକ୍ଷ୍ନୌ,୯।୨: ଉତ୍ତରପ୍ରଦେଶର ଲକ୍ଷ୍ନୌସ୍ଥିତ ଅଲୀଗଞ୍ଜ ଅଞ୍ଚଳରେ ଜଣେ ଲୋକଙ୍କ ଘର କାନ୍ଥରୁ ଭୟଙ୍କର ଶବ୍ଦ ଶୁଭୁଛି। ଏନେଇ ଘର ଲୋକେ ଭୟଭୀତ ହୋଇ ପୋଲିସର ସହାୟତା ଲୋଡ଼ିଛନ୍ତି। ତେବେ ପୋଲିସ ଟିମ୍‌ ମଧ୍ୟ ଏହାର ସମାଧାନ କରି ପାରିନାହିଁ। ଗତ ୨ ସପ୍ତାହ ଧରି ଆରତିଙ୍କ ଘରେ ଏଭଳି ରହସ୍ୟମୟ ଘଟଣା ଘଟିବାରେ ଲାଗିଛି। ଘରେ ଆରତିଙ୍କ ସ୍ବାମୀ, ପୁଅ ଏବଂ ମା’ ବାସ କରନ୍ତି। ସେମାନେ ଏଠାରେ ୨୭ ବର୍ଷ ଧରି ରହି ଆସୁଛନ୍ତି। ତେବେ ପୂର୍ବରୁ ଏଭଳି ଘଟଣା କେବେ ଘଟି ନ ଥିଲା। ଶବ୍ଦ ମା’ଙ୍କର କୋଠରୀରୁ ଆସୁଛି। ଏହା ଘର ସାରା ଶୁଣାଯାଉଛି। ଏହା ମେସିନ ଗନ୍‌ ଶବ୍ଦ। ପୂର୍ବରୁ ଏହାକୁ ପରିବାର ସଦସ୍ୟ ଅଣଦେଖା କରିଥିଲେ। ହୁଏତ ପାଖପଡ଼ୋଶୀଙ୍କ ଘରେ କିଛି ନିର୍ମାଣ କାର୍ଯ୍ୟ ଜାରି ରହିଥିବବୋଲି ସେମାନେ ଅନୁମାନ କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ରାତି ଦିନ ଯେକୌଣସି ସମୟରେ ଏଭଳି ଶବ୍ଦ ଲଗାତାର ଶୁଣାଯିବାରୁ ଏସମ୍ପର୍କରେ ପୋଲିସଙ୍କୁ ସୂଚନା ଦିଆଯାଇଥିବା ଆରତି କହିଛନ୍ତି। ଭୟରେ ଗତ ୧୨ ଦିନ ଧରି ସେମାନେ ଶୋଇ ପାରୁ ନାହାନ୍ତି। ଆରତିଙ୍କ ଘରେ ଜଣେ ମହିଳା କନଷ୍ଟେବଳଙ୍କୁ ମୁତୟନ କରାଯାଇଥିବା ଯୁଗ୍ମ ପୋଲିସ କମିଶନର ନୀଳାଜ୍ୱା ଚୌଧୁରୀ ସୂଚନା ଦେଇଛନ୍ତି। ଘଟଣାର ତଦନ୍ତ ଜାରି ରହିଛି।

Share