Categories: ଜାତୀୟ

ବିଲ ମଝିରେ ଭୟଙ୍କର ଘୂର୍ଣ୍ଣିଝଡ଼, ଲୋକେ ଆତଙ୍କିତ

ଗୁଆହାଟି,୮ା୫: ଆସାମର ବାରପେଟା ଜିଲାରେ ପ୍ରକୃତିର ଭୟଙ୍କର ରୂପ ଦେଖିବାକୁ ମିଳିଛି। ହଠାତ୍‌ ବିଲ ମଝିରେ ଭୟଙ୍କର ଘୂର୍ଣ୍ଣିଝଡ଼ ସୃଷ୍ଟି ହେବାରୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ତେବେ ଏହି ଘୂର୍ଣ୍ଣିଝଡ଼ ଅଧିକ ଶକ୍ତିଶାଳୀ ନୁହେଁ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଏହି ଘୂର୍ଣ୍ଣିଝଡ଼ର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆସାମର ବାରପେଟା ଜିଲାର ଚାନାଗା ଏରିଆରେ ଶନିବାର ଏହି ଘୂର୍ଣ୍ଣିଝଡ଼ ସୃଷ୍ଟି ହୋଇଥିଲା। ଚକ୍ରବାତ ଆକାରରେ ଏକ ବଡ଼ ଧୂଳି ଝଡ଼  ଉପରକୁ ଉଠୁଥିବାର ଦୃଶ୍ୟ ମୋବାଇଲରେ କଏଦ ହୋଇଛି।

 

ଝଡ଼ ଯୋଗୁ କ୍ଷେତରେ ଥିବା ଫସଲ ନଷ୍ଟ ହୋଇଛି। ଗତ ମାସରେ ଆସାମରେ ଏକାଧିକ କାଳବୈଶାଖୀ ହେବା ସହ ବଜ୍ରପାତ ହୋଇଥିଲା। ଘଡ଼ଘଡ଼ି ଯୋଗୁ ପ୍ରାୟ ୧୮ ଜଣଙ୍କର ପ୍ରାଣହାନି ବି ଘଟିଛି।

ଅନ୍ୟପକ୍ଷରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଆଣ୍ଡାମାନ ସାଗର ଉପରେ ଏକ ଅବପାତ ସୃଷ୍ଟି ହୋଇଥିବା ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଏହା ୮ ତାରିଖ ବେଳକୁ ଘନୀଭୂତ ହୋଇ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି।

Share