ପାକିସ୍ତାନରେ ଭୟଙ୍କର ଟ୍ରେନ ଦୁର୍ଘଟଣା, ୨୦ଆହତ

ଶେଖପୁରା,୨୪।୯: ପାକିସ୍ତାନର ଶେଖପୁରା ଜିଲାରେ ଭୟଙ୍କର ଟ୍ରେନ ଦୁର୍ଘଟଣା ହୋଇଛି। ଶେଖପୁରାର କିଲା ସତ୍ତାର ଶାହା ନିକଟରେ ଦୁଇଟି ଟ୍ରେନ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଏହି ଟ୍ରେନ ଦୁର୍ଘଟଣାରେ ୨୦ ଜଣ ଆହତ ହେବା ସହ ୫ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରେ ମୁଖ୍ୟ ରେଳ ଲାଇନରେ ଛିଡା ହୋଇଥିବା ଏକ ମାଲବାହୀ ଟ୍ରେନ ସହିତ ମିଆନୱାଲି ଯାଉଥିବା ଯାତ୍ରୀବାହୀ ଟ୍ରେନ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି।

ଦୁର୍ଘଟଣାରେ ଆହତଙ୍କ ମଧ୍ୟରେ ମହିଳା ଏବଂ ଶିଶୁ ମଧ୍ୟ ସମ୍ପୃକ୍ତ ଥିବା ପୋଲିସ ସୂଚନା ଦେଇଛି। ସୂଚନା ଅନୁଯାୟୀ, ପାଞ୍ଚ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ଓ ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ରେଳ ମୁଖପାତ୍ର ସୂଚନା ଦେଇଛନ୍ତି ଯେ ଟ୍ରେନ ଡ୍ରାଇଭର ଇମ୍ରାନ ସରବର ଏବଂ ତାଙ୍କ ସହକାରୀ ମହମ୍ମଦ ବିଲାଲଙ୍କ ସମେତ ଚାରିଜଣ ରେଳ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ଏଥି ସହିତ ଉପ ମୁଖ୍ୟ ଅଧିକାରୀଙ୍କ ନେତୃତ୍ୱରେ ଏକ ତଦନ୍ତ କମିଶନ ଗଠନ କରାଯାଇଛି ଯାହାକି ୨୪ ଘଣ୍ଟା ମଧ୍ୟରେ ଦୁର୍ଘଟଣାର ରିପୋର୍ଟ ଦାଖଲ କରିବ।

ଏହି ଟ୍ରେନ ଦୁର୍ଘଟଣାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନର ମୁସଲିମ ଲିଗ ନୱାଜ (ପିଏମଏଲ-ଏନ) ଶେହବାଜ ସରିଫ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଏହି ଦୁର୍ଘଟଣା ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Share